ଟିକାକରଣ ପାଇଁ ଚାଲିଛି ଅଭିଯାନ, କିନ୍ତୁ ସ୍ପେନରେ ବୋଲ ମାନୁନି କରୋନା ଭାଇରସ
19/01/2021 at 1:06 PM

ଲଣ୍ଡନ,୧୮/୧: ୟୁରୋପର ବିଭିନ୍ନ ଦେଶରେ ଟିକାକରଣ ଆରମ୍ଭ ହୋଇସାରିଛି । ତେବେ ସ୍ପେନରେ ସୋମବାର ରେକର୍ଡ ସଂଖ୍ୟକ ୪୦୧୯୭ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଦେଶର ହସ୍ପିଟାଲ ଓ ସ୍ୱାସ୍ଥ୍ୟସେବା ଉପରେ ଚାପ ପଡିଛି ।
ଗତ ୧୪ ଦିନ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ସର୍ବାଧିକ ପଜିଟିଭ୍ ସଂଖ୍ୟା । ଅର୍ଥାତ ପ୍ରତି ୧୦୦୦୦୦ ଲୋକରେ ୫୭୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରବିବାର ଏହି ସଂଖ୍ୟା ୫୨୨ ଥିଲା ।
ଦେଶରେ ଏତେମାତ୍ରାରେ ପଜିଟିଭ୍ ବଢୁଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ସରକାରଙ୍କୁ ଦାୟୀ କରିଛନ୍ତି । ଖ୍ରୀଷ୍ଟମାସ୍ ବେଳେ କଟକଣାରେ କୋହଳ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ଦ୍ୱାରା କରୋନା ଉଗ୍ର ରୂପ ଧାରଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି ।
ମାଦ୍ରିଦରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି । ଏହାସହ ଏକତ୍ର ନହେବାକୁ ପରାମର୍ଶ ଦିଆଯାଇଛି ।
ପର୍ତ୍ତୁଗାଲରେ ସରକାର ପୁଣି ଲକଡାଉନକୁ କଡାକଡି କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା କହିଛନ୍ତି ଯେ, ଲୋକଙ୍କୁ ଢିଲା ଛାଡିବାରୁ ସେମାନେ ଏହାର ବହୁତ ଫାଇଦା ଉଠାଇଛନ୍ତି । ଫଳରେ ସଂକ୍ରମଣ ବୃଦ୍ଧି ପାଇଛି । ଏହାସହ ସେ ଲୋକଙ୍କୁ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ସ୍କୁଲରେ ମଧ୍ୟ ପୋଲିସ ଫୋର୍ସ ମୁତୟନ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସେହିପରି ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ କଟକଣାକୁ କଡାକଡି କରାଯାଇଛି ।
ସୂଚନାଯୋଗ୍ୟ, ୟୁରୋପରେ ଫାଇଜର ଟିକାର ଟିକାକରଣ ପୁଣି ଜାନୁଆରୀ ୨୫ରୁ ଆରମ୍ଭ ହେବ । ଅନେକ ବିବାଦରେ ଫସିଛି ଫାଇଜର । ଫାଇଜର ଟିକା ନେଇ ନରଓ୍ୱେରେ ୨୩ଜଣଙ୍କର ଜୀବନ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।