ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍, ସମସ୍ତେ ନେଇ ସାରିଥିଲେ ଭାକସିନ୍

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ, ୦୯|୦୪: ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଡାକ୍ତର କରୋନା ଟିକା ନେଇଥିଲେ । ପଜିଟିଭ୍ ଚିହ୍ନଟ ହେବା ପରେ ୩୨ ଜଣ ଡାକ୍ତର ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  ।

ସୂଚନାନୁସାରେ, ମାରାତ୍ମକ କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇ ଚାଲିଛ । ଗୁରୁବାର ୧ ଲକ୍ଷ ୨୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଏହାସହ ୬୮୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଏହାକୁ ନଜରରେ ରଖି ଦେଶର କିଛି ସହରରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ମଧ୍ୟ ଲଗାଯାଇଛି ।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଥିଲେ ଯେ, ସଂକ୍ରମଣ ହାର ମହାରାଷ୍ଟ୍ରରେ ୨୫ ପ୍ରତିଶତ, ଛତିଶଗଡରେ ୧୮ ପ୍ରତିଶତ ଓ ଅନେକ ରାଜ୍ୟରେ ୧୦ ପ୍ରତିଶତରୁ ଉପରେ ରହିଛି । ସହରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗ୍ରାମାଞ୍ଚଳରୁ କମ୍ ଚିହ୍ନଟ ହେଉଛନ୍ତି ।

ସେହିପରି ଦିଲ୍ଲୀରେ ମଧ୍ୟ କରୋନା ମାମଲା ବଢିବା ପରେ ନାଇଟ୍ କର୍ଫ୍ୟୁ ଲାଗିଛି । ରାତି ୧୦ରୁ ସକାଳ ୫ଟା ଯାଏଁ ଏହାକୁ ଲାଗୁ କରାଯାଇଛି । ଏପ୍ରିଲ ୩୦ ଯାଏଁ ଏହା ପାଳନ କରାଯିବ । ଯେଉଁମାନେ ଭାକସିନ୍ ନେବାକୁ ଯାଉଛନ୍ତି ସେମାନଙ୍କୁ ରିହାତି ମିଳିବ । ସେମାନଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା ହୋଇଛି । ସେହିପରୀ ଜରୁରୀ ସେବାକୁ ମଧ୍ୟ କଟକଣାରୁ ବାଦ୍ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.