ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ୨୪ ଘଣ୍ଟାରେ ୩୧୧ ପୋଲିସ୍ କର୍ମଚାରୀ ପଜିଟିଭ୍ ଚିହ୍ନଟ, ୫ ଜଣଙ୍କ ମୃତ୍ୟୁ
14/09/2020 at 4:17 PM

ମୁମ୍ବାଇ ୧୪/୦୯: ମହାରାଷ୍ଟ୍ରରେ କରୋନା ମହାମାରୀ ପ୍ରକୋପ ଜାରି ରହିଛି । ପାଖାପାଖି ୬ ମାସ ପରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନାଁ ଧରୁନି । ବିଶେଷ କରି କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁବରଣ କରୁଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୧୧ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି ।
ନୂଆ ୩୧୧ ଆକ୍ରାନ୍ତଙ୍କ ସମେତ ମହାରାଷ୍ଟ୍ରରେ ମୋଟ ୧୯୩୮୫ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୫,୫୨୧ ଜଣ ସୁସ୍ଥ ହୋଇଥିବା ବେଳେ ୧୯୪ ଜଣ ପ୍ରାଣ ହରାଇଛନ୍ତି । ସକ୍ରିୟ ମାମଲା ୩୬୭୦ଟି ରହିଛି । ଏନେଇ ସୋମବାର ଦିନ ମହାରାଷ୍ଟ୍ର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ଗତ ୨୪ ଘଣ୍ଟାରେ ମୋଟ ୨୪ ହଜାର ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୫୪୯ ଜଣ ଡିସ୍ଚାର୍ଜ ହୋଇଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ଏବେସୁଦ୍ଧା ମୋଟ ୫୨ ଲକ୍ଷ ୫୩ ହଜାର ୬୭୬ ନମୁନା ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ୧୦ ଲକ୍ଷ ୬୦ ହଜାର ୩୦୮ ସାମ୍ପଲ୍ ପଜିଟିଭ୍ ମିଳିଛି ।