ଆଇପିଏଲ ଉପରେ କରୋନା ଛାଇ, ବିମାନବନ୍ଦରରେ ଅଲଗା ଚେକ୍-ଇନ୍ କାଉଣ୍ଟର ପାଇଁ ବିସିସିଆଇର ଅନୁରୋଧ

Published By : Prameya-News7 Bureau | April 08, 2021 IST

ମୁମ୍ବାଇ, ୦୮।୦୪:   ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ । ଏହାମଧ୍ୟରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଖେଳାଳି, ଫ୍ରାଞ୍ଚାଇଜି, କର୍ମଚାରୀ ଓ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଅନ୍ୟମାନେ ଭୟ ଓ ଚିନ୍ତାରେ ରହିଛନ୍ତି । ଅନେକ ଖେଳାଳି, ସହଯୋଗୀ ଷ୍ଟାଫ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେଣି । ଟୁର୍ଣ୍ଣାମେଣ୍ଟ ଶେଷ ହେବା ଯାଏଁ ସମସ୍ତେ ବାୟୋ ବବଲରେ ରହିବେ । ଖେଳ ଦେଖିବା ପାଇଁ ମଇଦାନରେ ଦର୍ଶକ ମଧ୍ୟ ଉପସ୍ଥିତ ରହିବେ ନାହିଁ । ଏବେସୁଦ୍ଧା ଆଇପିଏଲ ସହ ଜଡିତ ୩୬ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି ।

ଖେଳାଳିଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବିସିସିଆଇ ବିମାନ ବନ୍ଦରରେ ଅଲଗା ଚେକ୍ କାଉଣ୍ଟର କରିବା ପାଇଁ କହିଛି । ଚଳିତ ଆଇପିଏଲ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇରେ ହେବ । ଖେଳାଳିମାନେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ପାଇଁ ବିମାନରେ ଯାତ୍ରା କରିବେ । ବିମାନ ବନ୍ଦରରେ ଖେଳାଳି ଓ ଅନ୍ୟ କର୍ମଚାରୀଙ୍କ ପ୍ରତି ସଂକ୍ରମଣ ବିପଦ ଅଧିକ ରହିଛି ।

ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିମାନବନ୍ଦରରେ ଆଇପିଏଲ ପାଇଁ ଅଲଗା ଚେକ୍-ଇନ କାଉଣ୍ଟର କରିବାକୁ ଅନୁରୋଧ କରିଛି । ଫଳରେ ଖେଳାଳି ସୁରକ୍ଷିତ ରହିବେ । ବିସିସିଆଇ ବାୟୋ ବବଲକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଅଧିକ କୋଭିଡ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଚେନ୍ନାଇ ଯିବା ପୂର୍ବରୁ ଆଇପିଏଲର ଜଣେ କର୍ମଚାରୀ ନେଗେଟିଭ୍ ଥିଲେ କିନ୍ତୁ ୫ ଦିନ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ନିକଟରେ ମୁମ୍ବାଇ ଓ୍ୱାଙ୍ଖଡେ ଷ୍ଟାଡିୟମର ୧୦ ଗ୍ରାଉଣ୍ଡମ୍ୟାନ୍,ଜଣେ ପ୍ଲମ୍ବର, ୭ ବିସିସିଆଇ କର୍ମଚାରୀ, ୪ ଆଇପିଏଲ ଖେଳାଳି ଓ ପ୍ରସାରଣ ସହ ଜଡିତ ୧୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ବାୟୋ ବବଲରେ ପ୍ରବେଶ କରିବା ପୂର୍ବରୁ ପଜିଟିଭ୍ ହୋଇଥିଲେ । ଏବେ ଷ୍ଟାଡିୟମ କର୍ମଚାରୀଙ୍କୁ ଏକ ଆଲଗା ବାୟୋ ବବଲରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.