ଜେଲ୍ ଭିତରେ ନିଆଯାଇଥିଲା ସ୍ବାବ୍: ଜାମିନ ପରେ ବାହାରିଲା କରୋନା ପଜିଟିଭ୍, ଏବେ କଣ୍ଟାକ୍ଟ ଟ୍ରେସିଂ ଜେଲ୍ କର୍ତ୍ତୁପକ୍ଷଙ୍କୁ ଟେନ୍ସନ
14/07/2020 at 8:42 PM

ଟାଙ୍ଗୀ୧୪/୭: ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ୍ଜେଲକୁ ମଧ୍ୟ କରୋନା ଭୂତାଣୁ ଛୁଇଁଛି। ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ । ହେଲେ କଏଦୀ ଜଣକ ଜାମିନ ପାଇ ଘରକୁ ଗଲା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳ ବେହେରା କହିଛନ୍ତି।
ବର୍ତ୍ତମାନ ସମୁଦାୟ ୧୬୬ ଜଣ କଏଦୀ ଅଛନ୍ତି। ଯେଉଁଥିରେ ଦୋଷୀ ସାବ୍ୟସ୍ତ କଏଦୀ ୩0 ଜଣ ଥିବା ବେଳେ ବିଚାରାଧୀନ କଏଦୀ ଅଛନ୍ତି ୧୩୬ ଜଣ। କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ କଏଦୀଙ୍କ ସ୍ୱାବ ଟେଷ୍ଟ ପାଇଁ ସରକାରଙ୍କୁ ଲିଖିତ ଆକାରରେ ଅନୁରୋଧ କରିଥିଲେ। ସେହିକ୍ରମେ ଗତ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଆକ୍ରାନ୍ତ ଜଣଙ୍କ ରହୁଥିବା ଗୃହରେ ସମସ୍ତ ୮ ଜଣ କଏଦୀ କ୍ଵାରେଣ୍ଟିନରେ ରହିବା ସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀମାନେ ଏବେ ହୋମ୍ କୱାରେଣ୍ଟିନରେ ଅଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଜି କୋଭିଡ୍ ହସ୍ପିଟାଲକୁ ନିଆଯାଇଛି ।