ଟେଲିଭିଜନ ଚ୍ୟାନେଲ ଉପରେ କରୋନା ସଙ୍କଟ, ବନ୍ଦ ଭୟରେ ଇଣ୍ଡଷ୍ଟ୍ରୀ ଲୋଡିଲା ସରକାର ହସ୍ତକ୍ଷେପ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: କରୋନା ଭାଇରସ୍‌ ମହାମାରୀ କେବଳ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟ କରିନି ଏହା ବିଶ୍ଵ ଅର୍ଥନୀତିକୁ ଗୁରୁତର ପ୍ରଭାବ ପକାଇବା ସହ ଅନେକ କ୍ଷେତ୍ରରେ ପ୍ରଭୂତ କ୍ଷତି ସହ ବ୍ୟାପକ ଆର୍ଥିକ ପ୍ରଭାବ ପକାଇଛି। କରୋନା ପ୍ରଭାବରୁ ଟିଭି ଜଗତ ମଧ୍ୟ ବର୍ତ୍ତି ପାରି ନାହିଁ। କରୋନା ସଙ୍କଟ ମଧ୍ୟରେ ଟିଭି ଚ୍ୟାନେଲ ଉପରେ ବିଜ୍ଞାପନର ବୁକିଂ ପାଖାପାଖି ଅଧାକୁ ହ୍ରାସ ଘଟିଛି। ଅନ୍ୟପଟେ ଅନେକ ବ୍ରାଣ୍ଡ ପକ୍ଷରୁ ବଳକା ଅର୍ଥ ପୈଠରେ ବିଳମ୍ବ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରସାରକ ସଙ୍ଘ ‘ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ’(IBF) ସୋମବାର ସରକାରଙ୍କଠୁ ରିଲିଫ ପ୍ୟାକେଜ୍ ଦାବି କରିଛନ୍ତି।

ଆଇବିଏଫ କହିଛି କରୋନା ଭାଇରସ୍ ମହାମାରୀ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ପରି ଖେଳ କାର୍ଯ୍ୟକ୍ରମ ରଦ୍ଦ ହେବା ଏବଂ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ସୁଟିଂ ଉପରେ ରୋକ୍‌ ପ୍ରଭାବ ବିଜ୍ଞାପନ ଉପରେ ମଧ୍ୟ ପଡିଛି। ଆଇବିଏଫର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଚିଠି ଲେଖି ରିଲିଫ ପ୍ୟାକେଜ୍ କିମ୍ବା ଅନ୍ୟ କିଛି ପଦକ୍ଷେପ ଉଠାଇବାକୁ ଅନୁରୋଧ କରିଛନ୍ତି।

ସଙ୍ଘର ଅଧ୍ୟକ୍ଷ ଏନ.ପି. ସିଂହ କହିଛନ୍ତି କରୋନା ଭାଇରସ୍ ଓ ଏହାର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ଲକ୍‌ଡାଉନ୍‌ କାରଣରୁ ଟିଭି ପ୍ରସାରକଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କ୍ରୀଡା କାର୍ଯ୍ୟକ୍ରମ ରଦ୍ଦ ହେବା ଏବଂ ଟିଭି ଚ୍ୟାନେଲରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମର ସୁଟିଂ ବନ୍ଦ ହୋଇଯିବାରୁ ବିଜ୍ଞାପନ ବୁକିଂ ୫୦ ପ୍ରତିଶତ ତଳକୁ ଖସି ଆସିଛି। ଅନ୍ୟପଟେ ଅର୍ଥ ପୈଠରେ ମଧ୍ୟ ବିଳମ୍ବ ଘଟୁଛି। ଏଥିପାଇଁ ସରକାରଙ୍କୁ ଆର୍ଥିକ ପ୍ୟାକେଜ୍‌ ସହିତ ହସ୍ତକ୍ଷେପ କରିବାକୁ ସଙ୍ଘ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.