ସେୟାର ବଜାରରେ କରୋନା ମାଡ : ୪୨୭ ଅଙ୍କ ଖସିଲା ସେନସେକ୍ସ, ଡଲାର ତୁଳନାରେ କମିଲା ଟଙ୍କାର ମୂଲ୍ୟ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୦୪ : କରୋନା ସଂକ୍ରମଣ ବୃଦ୍ଧି ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ମିଶ୍ରିତ କାରବାର ଯୋଗୁଁ ଗୁରୁବାର ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । କାରବାର ଆରମ୍ଭରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୨ ଅଙ୍କ ହ୍ରାସ ପାଇ ୪୮,୫୧୨.୭୭ରେ ଖୋଲିଥିଲା । ସକାଳ ୯ଟା୩୦ ସୁଦ୍ଧା ସେନସେକ୍ସ ୧୪୨ ଅଙ୍କ ବୃଦ୍ଧି ପାଇ ୪୮,୬୮୬.୧୭ରେ ପହଞ୍ଚିଯାଇଥିଲା । ଦିନ ୧୦.୩୩ରେ ସେନସେକ୍ସ ପ୍ରାୟ ୪୨୭ ଅଙ୍କ ହ୍ରାସ ପାଇ ୪୮,୧୧୭.୬୮ରେ ପହଞ୍ଚିଯାଇଥିଲା ।   

ଅନ୍ୟପଟେ ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ଆରମ୍ଭରୁ ୧୮ ଅଙ୍କ ହ୍ରାସ ପାଇ ୧୪,୫୨୨.୪୦ରେ ଖୋଲିଥିଲା । କାରବାର ସମୟରେ ନିଫ୍ଟି ପୁଣି ଥରେ ହ୍ରାସ ପାଇ ୧୪,୪୩୨.୩୫ରେ ପହଞ୍ଚିଯାଇଥିଲା । ଫାର୍ମା ଇଣ୍ଡେକ୍ସରେ ଏକ ପ୍ରତିଶତ ଲେଖାଏଁ ବୃଦ୍ଧି ଦେଖିବାକୁ ମିଳିଛି । ଅଟୋ ଏବଂ  ପିଏସୟୁ ବ୍ୟାଙ୍କ ସୁଚକାଙ୍କ ୨ ପ୍ରତିଶତ ହ୍ରାସ ପାଇଛି । ଏନ୍‌ଏସ୍‌ଇରେ କାରବାର ବେଳେ ୭୦୬ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ  ୭୦୫ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ଭାରତୀୟ ମୁଦ୍ରାର ମୂଲ୍ୟ ଗତ ୯ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଚାଲିଯାଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୪ ପଇସା ହ୍ରାସ ପାଇ ୭୫.୧୯ ପଇସା ପ୍ରତି ଡଲାରରେ ଖୋଲିଥିଲା । ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଗତ ସୋମବାର ଦିନ ୭୫ ପାର କରିଥିଲା ।

ଏହା ପୂର୍ବରୁ ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ୍‌ ୧୦୮ ଅଙ୍କ ବୃଦ୍ଧି ପାଇ ୪୭,୯୯୧.୫୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୪ ଅଙ୍କ ବୃଦ୍ଧି ପାଇ ୧୪,୩୬୪.୯୦ରେ ଖୋଲିଥିଲା । କାରବାର ବନ୍ଦ ବେଳକୁ ସେନ୍‌ସେକ୍ସ୍‌ ୬୬୦.୬୮ ଅଙ୍କ ବୃଦ୍ଧି ପାଇ ୪୮,୫୪୪.୦୬ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୧୯୪ ଅଙ୍କ ହ୍ରାସ ବୃଦ୍ଧି ପାଇ ୧୪,୫୦୪.୮୦ରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.