କରୋନା ହେଲ୍ମେଟ୍: ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ ସଚେତନ କରାଇବା ପାଇଁ ଚେନ୍ନାଇ ପୋଲିସର ଅଭିନବ ଉପାୟ
28/03/2020 at 4:08 PM

ଚେନ୍ନାଇ ୨୮।୦୩: ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ସଂପ୍ରତି ଭାରତରେ ନିଜର କାୟା ବିସ୍ତାର କରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଏହା ମଧ୍ୟରେ ଚେନ୍ନାଇର ଜଣେ ସ୍ଥାନୀୟ କଳାକାର ଲକ୍ଡାଉନ୍ ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଅଭିନବ ଉପାୟ କରିଛନ୍ତି। କଳାକାର ଜଣକ ଦ୍ଵାରା ପ୍ରସ୍ତୁତ କରୋନା ହେଲ୍ମେଟ୍କୁ ପିନ୍ଧି ପୋଲିସ କରୋନା ଭୂତାଣୁର ଭୟାବହ ନେଇ ସଚେତନ କରାଉଛନ୍ତି।
ହେଲ୍ମେଟ୍ ପ୍ରସ୍ତୁତ କରିଥିବା କଳାକାରଙ୍କ ନାମ ହେଉଛି ଗୋଥାମ। ସେ ଜାତୀୟ ସରବରାହ ସଂସ୍ଥା ANI ସହ ଆଲୋଚନା ବେଳେ କହିଛନ୍ତି ଯେ ଏବେ ମଧ୍ୟ ବଡ ସଂଖ୍ୟାରେ ଲୋକ ମାରାତ୍ମକ କରୋନା ଭାଇରସ୍କୁ ନେଇ ସମ୍ବେଦନଶୀଳ ନାହାନ୍ତି। ପୋଲିସ କର୍ମୀ ଦିନରାତି ଏକ କରି ଲୋକେ କେମିତି ଲକ୍ଡାଉନ୍ର ପାଳନ କରି ଘରେ ରହିବେ ତାହା ସୁନିଶ୍ଚିତ କରୁଛନ୍ତି। ସେମାନଙ୍କର ପ୍ରୟାସ ଏହା ଯେ ଲୋକଙ୍କୁ ଘରେ ରଖି କେମିତି କରୋନାକୁ ବ୍ୟାପିବାରୁ ରୋକା ଯାଇ ପାରିବ।
ତେଣୁ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ଅଭିନବ ଉପାୟ ବାହାର କଲି। ଏକ ଭଙ୍ଗା ହେଲମେଟ୍ ନେଇ ପେପର ଜରିଆରେ ଏହାକୁ ବିପଦଜ୍ଜନକ କରୋନା ଭୂତାଣୁର ରୂପ ଦେଇଛି। ଏହା ସହିତ ମୁଁ ଅନେକ ସଚେତନଧର୍ମୀ ପ୍ଲାକାର୍ଡ ପ୍ରସ୍ତୁତ କରିଛି।
ସେ ଏହା ମଧ୍ୟ କହିଛନ୍ତି ଯେ, ପୋଲିସ ଦିନରାତି ୨୪ ଘଣ୍ଟା ସହରର ଗଳି କନ୍ଦି ସବୁଠି ମୁତୟନ ରହି ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି। ଏହା ସହିତ ସେମାନେ ଜନତାଙ୍କୁ ସଚେତନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲୋକେ ମଧ୍ୟ ଧିରେ ଧିରେ ସଚେତନ ହେବାରେ ଲାଗିଲେଣି।
ଆମେ ସମସ୍ତ ଜରୁରୀ ପଦକ୍ଷେପ ନେଉଛୁ। ଏହା ପରେ ବି କିଛି ଲୋକ ସଡକ ଉପରକୁ ଆସୁଛନ୍ତି। ତେଣୁ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ଏହି କରୋନା ହେଲ୍ମେଟ୍ ଲୋକଙ୍କୁ ସଚେତନ କରାଇବ ବୋଲି ଆଶା ରଖୁଛୁ। ଏହି ଅଭିନବ ପଦକ୍ଷେପ ଲୋକଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରାଇବ ବୋଲି ଆଶା ରଖିଥିବା ପୋଲିସ ଇନ୍ସପେକ୍ଟର ରାଜେଶ ବାବୁ କହିଛନ୍ତି। ଯେବେ ପିଲାମାନେ ଏହି ହେଲ୍ମେଟକୁ ଦେଖିଲେ ତେବେ ଘରକୁ ନେବାକୁ ଚାହିଁଥିଲେ।
ଉଲ୍ଲେଖଯୋଗ୍ୟ, ଶନିବାର ସକାଳ ସୁଦ୍ଧା ତାମିଲନାଡୁରେ କରୋନା ସଂକ୍ରମିତ ସଂଖ୍ୟା ୩୮ ରହିଛି। ଏଥିରେ ୬ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।