ଏହି ସହରରେ ଏପ୍ରିଲ ୧୭ ପର୍ଯ୍ୟନ୍ତ ଲାଗୁ ହେଲା ନାଇଟ୍ କର୍ଫ୍ୟୁ, ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ
8/04/2021 at 4:39 PM

ନୋଏଡା ୦୮।୦୪: ଉତ୍ତର ପ୍ରଦେଶରେ ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଗାଜିଆବାଦ ପରେ ଏବେ ନୋଏଡାରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ଏପ୍ରିଲ ୧୭ରୁ ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରଖିବାକୁ ଆଦେଶ ଦେଇଛନ୍ତି। ଏହି ସମୟରେ ସମସ୍ତ ସ୍କୁଲ, କଲେଜ୍ ଓ କୋଚିଂ ସେଣ୍ଟର ବନ୍ଦ ରହିବ। କିନ୍ତୁ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ। ଏହି ସମମୟରେ ହେବାକୁ ଥିବା ପରୀକ୍ଷା ପ୍ରୋଟୋକଲ୍ ଅନୁଯାୟୀ କରାଯିବ।
ଗାଜିଆବାଦ ଡିଏମ ଅଜୟ ଶଙ୍କର ପାଣ୍ଡେଙ୍କ ପକ୍ଷରୁ ଜାରି ଆଦେଶରେ କହିଛନ୍ତି ଯେ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ୍, କୋଚିଂ ସେଣ୍ଟର ଏପ୍ରିଲ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ। ଆଦେଶରେ କୁହାଯାଇଛି ଯେ, ଯେଉଁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ପ୍ରାକ୍ଟିକାଲ ଚାଲୁଛି, ତାହା ପରିକ୍ଷା ଦିନ ଖୋଲା ରହିବ। କିନ୍ତୁ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିବ।
ନାଇଟ୍ କର୍ଫ୍ୟୁରେ ମେଡିକାଲ, ପାରା ମେଡିକାଲ ଓ ନର୍ସିଂ କଲେଜ୍ ଖୋଲା ରହିବ ଏବଂ ସବୁ ପ୍ରକାରର ପରୀକ୍ଷା ଗାଇଡ୍ଲାଇନ୍ ଅନୁଯାୟୀ ଆୟୋଜିତ ହେବ।
ସର୍ବସାଧାରଣ ସ୍ଥାନରେ କରୋନା ଗାଇଡ୍ଲାଇନ୍ ପାଳନ ନେଇ ଅଭିଯାନ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଅଧିକରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଦୂରତ୍ଵ ପାଳନ କରୁନଥିବା ଏବଂ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶରେ କୁହାଯାଇଛି।