ଭାରତରେ ସମ୍ୟକ ଅନୁଭୂତ ହୋଇପାରେ Corona ପ୍ରଭାବ : RBI ଗଭର୍ଣ୍ଣର

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:  ଚୀନକୁ ସ୍ଥାଣୁ କରିସାରିଥିବା କରୋନା ଭାଇରସର ପ୍ରଭାବ ଭାରତର ଏତେଟା ପଡିନପାରେ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଏହା କହିଛନ୍ତି। ତେବେ ଚୀନରେ ପ୍ରସରୁଥିବା ଏହି ଭୂତାଣୁ ଯୋଗୁ ବିଶ୍ୱ ଅର୍ଥନୀତିକୁ କିନ୍ତୁ ଗୁରୁତର ପ୍ରଭାବିତ କରିବ ବୋଲି କହିଛନ୍ତି ଶକ୍ତିକାନ୍ତ। ଭାରତର ମାତ୍ର କିଛି ବୈଦୁତିକ ସାମଗ୍ରୀ ପ୍ରସ୍ତୁତ କରୁଥିବା  କାରଖାନା ଚୀନ ଉପରେ ନିର୍ଭର କରୁଛନ୍ତି। ଏହା ବ୍ୟତୀତ କିଛି ଫର୍ମାସ୍ୟୁଟିକାଲ କମ୍ପାନୀ ଚୀନ ଉପରେ ନିର୍ଭର କରୁଥିଲେ ହେଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଗଛିତ ଥିବା ଶକ୍ତିକାନ୍ତ କହିଛନ୍ତି।

ସେ କହିଛନ୍ତି ଯେ କରୋନାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାକୁ କିନ୍ତୁ ଏଡି ଦେଇ ହେବନି। ଏହାକୁ ନେଇ ପ୍ରତିକ୍ଷଣରେ ହେଉଥିବା ପରିବର୍ତ୍ତନ ଉପରେ ଆମକୁ ଏବେ ତୀକ୍ଷ୍ଣ ନଜର ରଖିବାକୁ ପଡିବ। କେବଳ ଭାରତ ନୁହେଁ ବିଶ୍ୱର ସମସ୍ତ ଆର୍ଥିକ ନୀତି ନିୟନ୍ତ୍ରକ ବି ଏବେ ଏହା କରୁଛନ୍ତି। ଅତୀତରେ ଚୀନରୁ ସାର୍ସର ଉତ୍ପତି ହୋଇଥିଲା। ହେଲେ ସେତେବେଳର ପରିସ୍ଥିତି ଏବେ ବଦଳି ଯାଇଛି। ଏବେ ବିଶ୍ୱର ମୋଟ ଜିଡିପିରେ ଚୀନର ଯୋଗଦାନ ସର୍ବାଧିକ। ଏହା ଛଡା ଏଥର କରୋନା ଭାଇରସ ଭୀଷଣ ପ୍ରଭାବିତ କରିଛି ଚୀନକୁ।

କରୋନା ଭାଇରସ ସଂକ୍ରମଣ ନେଇ ପ୍ରଚାରିତ ହେବା ପରେ ଜାପାନ ୟେନର ମୂଲ୍ୟ ୯ ମାସ ତଳକୁ ଚାଲିଯାଇଛି। ଏଣୁ ଉପୁଜିଥିବା ପରିସ୍ଥିତି ଜାପାନର ଆର୍ଥିକ ପ୍ରଗତିକୁ ୦.୨ ପ୍ରତିଶତ ପଛକୁ ନେଇଯାଇପାରେ ବୋଲି ଆରବିଆଇ ଗଭର୍ଣ୍ଣର ଆଶଙ୍କା ବ୍ୟକ୍ତ କରିଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଚୀନରେ ବ୍ୟାପୀଥିବା କରୋନା ଭାଇରସ ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ସଂକ୍ରମଣର ମଧ୍ୟ ଅନେକ ଅଭିଯୋଗ ମିଳିବାରେ ଲାଗିଛି। ହେଲେ ଏପର୍ଯ୍ୟନ୍ତ ସଂକ୍ରମଣ ଉପରେ ନିୟନ୍ତ୍ରଣ ମିଳିପାରିନଥିବାରୁ ଏହା କ୍ରମଶଃ ମହାମାରୀର ରୂପେ ନେଇସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.