୪ଟି ଡାକ୍ତରଖାନା ଫେରାଇଦେଲେ, କୋଭିଡ-୧୯ରେ ପ୍ରାଣ ହରାଇଲେ କରୋନା ଯୋଦ୍ଧା

Published By : Prameya-News7 Bureau | April 27, 2020 IST

ମୁମ୍ବାଇ, ୨୭|୦୪: କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା । ଚାରୋଟି ମେଡିକାଲରେ ଚିକିତ୍ସା ନମିଳିବାରୁ ପ୍ରାଣ ହରାଇଲେ ପୋଲିସ କନଷ୍ଟେବଳ । ଯେଉଁମାନେ ସମ୍ମୁଖ ଯୋଦ୍ଧା ଭାବେ ମାରାତ୍ମକ କରୋନା ଭାଇରସ ସହ ଲଢୁଛନ୍ତି ସେମାନଙ୍କୁ ଚିକିତ୍ସା ନମିଳିବାରୁ ଜୀବନ ମଧ୍ୟ ହାରୁଛନ୍ତି । ମହାରାଷ୍ଟ୍ରର ରାଜଧାନୀ  ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ମୁମ୍ବାଇର କୁର୍ଲା ଟ୍ରାଫିକ୍ ଡିଭିଜନରେ କାମ କରୁଥିବା ୫୭ ବର୍ଷୀୟ ଜଣେ କନଷ୍ଟେବଳ କୋଭିଡ-୧୯ରେ ସଂକ୍ରମିତ ହେବା ପରେ ତାଙ୍କର ଚିକିତ୍ସା ପାଇଁ ୪ଟି ମେଡିକାଲ ମନା କରିଦେଇଥିଲେ । ଏହାପରେ ସେ ଚିକିତ୍ସାଧିନ ଅବସ୍ଥାରେ ପାରେଲ୍ କିଙ୍ଗ୍ ଏଡଓ୍ୱାର୍ଡ୍ ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ମୁମ୍ବାଇରେ କୌଣସି ପୋଲିସ କର୍ମୀ ପ୍ରାଣ ହରାଇବାର ତୃତୀୟ କେସ୍ ।  

ଏହି କନଷ୍ଟେବଲ ଜଣଙ୍କ ଶୁକ୍ରବାର କରୋନା ସଂକ୍ରମିତ ଥିବା ଜାଣିବାକୁ ପାଇଥିଲେ । ଗତ ୨୧ ତାରିକରେ ତାଙ୍କୁ ୪ଟି ସିଭିକ୍ ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ କେହି ହେଲେ ଆଡମିସନ୍ ପାଇଁ ଅନମୁତି ଦେଇନଥିଲେ । ତାଙ୍କ ପୁଅ କହିଛନ୍ତି ଯେ, ପିତାଙ୍କୁ ରାଜଓ୍ୱାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ୨ ସପ୍ତାହ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ଏହାପରେ ଦେହ ଭଲ ନହେବାରୁ ମେଡିକାଲରେ ଭର୍ତ୍ତି କରିବା ପାଇଁ ସେ ଚାହିଁଥିଲେ । କିନ୍ତୁ ବେଡ୍ ନଥିବା ହସ୍ପିଟାଲ କର୍ମଚାରୀ କହିଥିଲେ । ସେହିପରି ସେ ପରେ କସ୍ତୁରବା ହସ୍ପିଟାଲ ଓ ନାୟାର ହସ୍ପିଟାଲ ବୁଲିଥିଲେ ମଧ୍ୟ କନଷ୍ଟେବଳଙ୍କ ଚିକିତ୍ସା ହୋଇପାରି ନଥିଲା । ଏହାପରେ ତାଙ୍କୁ କେଇଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.