କରୋନା ମୁକାବିଲା: ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି, ସମ୍‌ରେ ବଢିଲା ୮୦୦ ବେଡ୍

Published By : Prameya-News7 Bureau | July 11, 2020 IST

ଭୁବନେଶ୍ଵର ୧୧।୦୭: ଦେଶ ସହିତ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ସଂପ୍ରତି ପ୍ରତିଦିନ ୫୦୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମଣର ପ୍ରତିରୋଧ ଲାଗି ରାଜ୍ୟ ସରକାରଙ୍କଠୁ ନେଇ ରାଜ୍ୟର ଅଗ୍ରଣୀ ହସ୍ପିଟାଲ ସମ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ନିଆଯାଉଛି। ଏହି ଦିଗରେ ଆଉ ଏକ ପଦକ୍ଷେପସ୍ଵରୂପ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଶଯ୍ୟା ବା ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସମ୍ କୋଭିଡ୍ ହସ୍ପିଟାଲରେ ୮ ଶହ ବେଡ୍ ବଢାଯାଇଛି।

କରୋନାର ତ୍ଵରିତ୍ଵ ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଆନୁସଙ୍ଗିକ ବ୍ୟବସ୍ଥାକୁ ବ୍ୟାପକ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ରାଜ୍ୟର ଅନେକ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିଛନ୍ତି। ଏହି ଆଧାରରେ ସମ୍ କୋଭିଡ୍ ହସ୍ପିଟାଲର ଶଯ୍ୟା ସଂଖ୍ୟା ୮୦୦ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସମ୍ ପକ୍ଷରୁ ଜଟଣୀରେ ୩ ଶହ ବେଡ୍‌ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରାଯାଉଛି। ସମ୍ ପକ୍ଷରୁ ଜାମୁଝରିରେ ୫ ଶହ ବେଡ୍‌ର କୋଭିଡ୍ ହସ୍ପିଟାଲ ନେଇ ପ୍ରସ୍ତୁତି ଜାରି ରହିଛି। ଏହି ପରି ହାଇଟେକ୍ କୋଭିଡ୍ ହସ୍ପିଟାଲରେ ୫ ଶହ ବେଡ୍ ବୃଦ୍ଧି କରାଯାଇଛି। ନୀଳାଚଳ କୋଭିଡ୍ ହସ୍ପିଟାଲରେ ମଧ୍ୟ ୧୨୬ ବେଡ୍ ବଢାଯାଇଛି। ତା ବାଦ ନୀଳାଚଳ କୋଭିଡ୍ ହସ୍ପିଟାଲରେ ଆହୁରି ୧୫ଟି ICU ବେଡ୍‌ ବୃଦ୍ଧି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୨୫୨୬ରେ ପହଞ୍ଚିଛି। ଅଦ୍ୟାବଧି ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧ରେ  ପହଞ୍ଚିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୪, ୧୦୫ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.