ଡରାଇଲା କରୋନା ଲେଉଟାଣି: ଏହି ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ସଚିବ

Published By : Prameya-News7 Bureau | April 02, 2021 IST

ଭୁବନେଶ୍ଵର ୦୨।୦୪: ଲେଉଟିଲା କରୋନା ସଂକ୍ରମଣ। ଦ୍ଵିତୀୟ ଲହରକୁ ନେଇ ଲୋକେ ଆଶଙ୍କିତ। ଦିନକୁ ଦିନ ରାଜ୍ୟରେ ନୂତନ କେସ୍‌ ସଂଖ୍ୟା ବଢିବାରେ ଲାଗିଛି। କରୋନାର ଦ୍ଵିତୀୟ ଲହରର ମୁକାବିଲା ପାଇଁ ସରକାର ତତ୍ପର ହୋଇ ଉଠିଲେଣି। ଏ ସଂପର୍କରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନସିପାଲ କମିଶନରମାନଙ୍କୁ ଚିଠି ଲେଖି ସତର୍କ ରହିବା ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଵାସ୍ଥ୍ୟ ସଚିବ ଜିଲ୍ଲା ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ବ୍ୟବସ୍ଥା ସହ  ଆଇସୋଲେସନ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିୟୁ, ଏଚଡିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି।  ପର୍ଯ୍ୟାପ୍ତ ପରିମାଣରେ ଫାଭିପିରାଭିର, ରେମଡେସିଭିର ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁବିଧ ରୋଗରେ ପୀଡିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପାଇଁ, ଘରୋଇ ହସ୍ପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଓପି ବ୍ୟବସ୍ଥାରେ ଚିକିତ୍ସା କରିବା ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଦେଶର ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇ ଦିନ ହେବ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଗତକାଲି ମଧ୍ୟ ରାଜ୍ୟରେ ୪୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.