ଭାରତରେ କରୋନା ଚିନ୍ତା : ୩ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ପ୍ରମୁଖ ଏୟାରପୋର୍ଟ ଓ ବନ୍ଦରରେ ଚାଲିଛି ସ୍କ୍ରିନିଂ

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୩।୩: ଭାରତରେ କାୟା ମେଲାଉଛି କରୋନା । ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନରେ ୩ ଜଣ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍ ଚିହ୍ନଟ କରାଯାଇଛି । ଏ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦିଲ୍ଲୀରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ସେ ଇଟଲୀରୁ ଫେରିଥିଲେ । ସେହିପରି ତେଲେଙ୍ଗାନାରେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ  ଯୁବକ ଜଣଙ୍କ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ସେ ବେଙ୍ଗାଲୁରୁରେ ଚାକିରି କରନ୍ତି । ନିକଟରେ ଦୁବାଇରୁ ଫେରିଥିବା ସୂଚନା ମିଳିଛି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନଙ୍କୁ ଅବଜରଭେସନରେ ରଖାଯାଇଥିବା କୁହାଯାଇଛି । ରାଜସ୍ଥାନରେ ଜଣେ ଇଟାଲି ନାଗରିକ କରୋନା ଭାଇରସ୍ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ଜୟପୁରର ଏସ୍.ଏମ୍.ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ କେରଳରେ ୩ ଜଣଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା । ତେବେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ କରୋନା ବ୍ୟାପିଲେ ସ୍ଥିତି ସାଂଘାତିକ ହେବେ ବୋଲି ନିକଟରେ ଆମେରିକାର ଏକ ଗୁଇନ୍ଦା ସଂସ୍ଥା ସତର୍କ କରାଇଥିଲା । ଏହାଛଡା ଭାରତ କିଭଳି କରୋନା ଭାଇରସ୍ ସହ ମୁକାବିଲା କରିବ ସେନେଇ ଆମେରିକା ଚିନ୍ତା ପ୍ରକଟ କରିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କିନ୍ତୁ କହିଛନ୍ତି କରୋନା ମୁକାବିଲା ଲାଗି ଆମେ ପ୍ରସ୍ତୁତ । ଦେଶର ସବୁ ପ୍ରମୁଖ ଏୟାରପୋର୍ଟ ଏବଂ ବନ୍ଦରରେ ବିଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ଏପର୍ଯ୍ୟନ୍ତ ଦେଶର ୨୧ଟି ପ୍ରମୁଖ ଏୟାରପୋର୍ଟରେ ୫ ଲକ୍ଷ ୫୭ ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇସାରିଲାଣି । ସେହିପରି ବନ୍ଦର ଗୁଡ଼ିକରେ ୧୨ ହଜାର ୪ ଶହ ଲୋକଙ୍କୁ ସ୍କ୍ରିନିଂ କରାଯାଇସାରିଲାଣି । ଚୀନ୍, ଜାପାନ ଓ ଇରାନରୁ ଆସିବାକୁ ଥିବା ଲୋକଙ୍କର ଭିସା ଅନ୍ ଆରାଇଭାଲ୍ ବାତିଲ କରିଦିଆଯାଇଛି ।

ଅନ୍ୟ କେତେକ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବାର ସମ୍ଭାବନା ଅଛି । କରୋନା ଭାଇରସ୍ ଚିହ୍ନଟ ପାଇଁ ଦେଶରେ ୧୫ଟି ଲାବୋରଟୋରୀକୁ ସକ୍ରିୟ କରାଯାଇଛି । ୧୨ଟି ଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.