ଓଡିଶାରେ କରୋନା ଆତଙ୍କ, ପୁରୀରେ କରୋନା ସନ୍ଦିଗ୍ଧ ୟୁରୋପ ନାବାଳିକା
14/03/2020 at 7:12 PM

ଭୁବନେଶ୍ୱର, ୧୪|୦୩: ଓଡ଼ିଶାରେ ଏବେ କରୋନା ଆତଙ୍କ । ଏପର୍ଯ୍ୟନ୍ତ ରାଜ୍ୟରେ ଜଣେ ହେଲେ କରୋନା ପଜିଟିଭ୍ ଚିହ୍ନଟ ହୋଇନଥିଲେ ମଧ୍ୟ ଏହାକୁ ନେଇ ସାଧାରଣରେ ଏକ ଭୟର ବାତାବରଣ ଖେଳିଯାଇଛି । ଇଉରୋପ ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଜଣେ ନାବାଳିକା ଏବେ କରୋନା ସଂଦିଗ୍ଧ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ।ସେପଟେ କାନାଡାରୁ ଆସିଥିବା ଏକ ବିଦେଶୀ ଦମ୍ପତିଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲରେ କରୋନା ସନ୍ଦେହରେ ଭର୍ତ୍ତି କରାଯାଇଛି ।ଏମିତି ସ୍ଥିତିରେ ଏବେ କରୋନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।

ପୁରୀ ହସ୍ପିଟାଲ କରୋନା ୱାର୍ଡରେ ୟୁରୋପ ନାବାଳିକା। ଇଉରୋପୀୟ ଦେଶ ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ କରୋନା ସନ୍ଦେହରେ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତାଙ୍କୁ ଏବେ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ନାବାଳିକା ଜଣକ ୩ ସପ୍ତାହ ହେଲା ଥଣ୍ଡା କାଶରେ ପୀଡ଼ିତ ଥିଲେ । ବୟସ ୭ ବର୍ଷ । ଆଜି ତାଙ୍କ ପରିବାର ଲୋକେ ପ୍ରଥମେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁରୀ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ପୁରୀ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ କ୍ଲିନିକ୍, ନର୍ସିଂହୋମ୍ର ପ୍ରତିନିଧିଙ୍କ ସହ କରୋନା କର୍ଣ୍ଣର ଖୋଲିବା ନେଇ ଆଲୋଚନା କରିଛନ୍ତି ।

ସେପଟେ ବଲାଙ୍ଗିରରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି କାନାଡାରୁ ଆସିଥିବା ଦମ୍ପତି ।ସେମାନେ ବଲାଙ୍ଗିରରେ ରହୁଥିବା ତାଙ୍କର ସଂପର୍କୀୟଙ୍କ ଘରକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ ।ଆସିବା ବେଳେ ମୁମ୍ବାଇରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ହେଲେ କରୋନାର କୌଣସି ଲକ୍ଷଣ ମିଳିନଥିଲା ।ଗତକାଲି ସନ୍ଦେହରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ନିଆଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ବିଦେଶକୁ ଆସିଥିବାରୁ ସ୍ବାସ୍ଥ୍ୟ ଯାଞ୍ଚ ଜରୁରୀ ଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ଏହି ଦମ୍ପତି ଅଯଥାରେ ହଇରାଣ ହେଉଥିବା ସେମାନଙ୍କର ସଂପର୍କୀୟ କହିଛନ୍ତି ।

କରୋନା ସତର୍କତା ପାଇଁ ସ୍କୁଲ, କଲେଜ, ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି ।ଫିଲ୍ମ ହଲ୍, ଜିମ୍, ସୁଇମିଂ ପୁଲ୍ ସବୁ ବନ୍ଦ ରହିବ ।ତେବେ କରୋନାକୁ ନେଇ ଲୋକେ ଅଯଥା ଆତଙ୍କିତ ହେବା ଆବଶ୍ୟକ ନାହିଁ ।ସୁସ୍ଥ ଲୋକ ଫେସ୍ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ ।ହ୍ୟାଣ୍ଡ ସାନିଟାଇଜର୍ ନମିଳିଲେ ସାଧାରଣ ସାବୁନ ବ୍ୟବହାର କରିପାରିବେ ।ଥଣ୍ଡା କାଶ ଲାଗିରହିଲେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଆବଶ୍ୟକ ଚିକିତ୍ସା କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।