ଅହମଦାବାଦ ୧୯/୬: କରୋନା ସଂକ୍ରମଣ ହେବା ପରେ ଜଣେ ବ୍ୟକ୍ତି ପ୍ରାୟତଃ ୩ ମାସ ପର୍ଯ୍ୟନ୍ତ ଦ୍ବିତୀୟ ଥର ସଂକ୍ରମିତ ହୋଇନଥାନ୍ତି। ଡାକ୍ତରଙ୍କ ମତରେ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ସହ ଲଢ଼ିବା ପାଇଁ ଆବଶ୍ୟକୀୟ ଆଣ୍ଟିବଡି ବିକଶିତ ହୋଇଥାଏ। କିନ୍ତୁ ଅହମଦାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କେବଳ ୩୦ ଦିନରେ ଦ୍ବିତୀୟ ବାର ସଂକ୍ରମଣ ହୋଇଛନ୍ତି। ଏମିତି କେମିତି ଓ କାହିଁକି ହେଲା ବୋଲି ଜାଣିବା ପାଇଁ ଗୁଜୁରାଟର ବୈଜ୍ଞାନିକମାନେ ଏକ ଗବେଷଣା ମଧ୍ୟ କରିଛନ୍ତି। ଗବେଷଣାରୁ ମିଳିଥିବା ତଥ୍ୟ ସମ୍ପର୍କରେ ଜାଣିବା ପୂର୍ବରୁ କମ୍ ଦିନରେ ଦୁଇ ଥର କରୋନା ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବା ଜରୁରୀ।
ଅହମଦାବାଦରେ ମୁଖ୍ୟ ଫାୟାର ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜେଶ ଭଟ୍ଟ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେତେବେଳେ ସେ ଗୁରୁତର ହୋଇନଥିଲେ। ଘରେ କ୍ବାରେଣ୍ଟାଇନ୍ରେ ରହି ସୁସ୍ଥ ହୋଇଥିଲେ। କିନ୍ତୁ ଗୋଟିଏ ମାସ ପରେ ପୁଣି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ରାଜେଶ । ପୂର୍ବାପେକ୍ଷା ରାଜେଶଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ୧୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।
ସାଧାରଣତଃ ଦ୍ବିତୀୟ ଥର ସଂକ୍ରମଣ ହେଲେ ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ ବୋଲି ଡାକ୍ତରମାନେ କୁହନ୍ତି। ଏପରିକି ରୋଗୀଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ ରାଜେଶ ଭଟ୍ଟଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରଥମ ସଂକ୍ରମଣ ହାଲକା ଥିବା ବେଳେ ଦ୍ବିତୀୟ ଥର ସଂକ୍ରମଣ ଅଧିକ ଘାତକ ହୋଇଥିଲା। ଏହାକୁ ଧ୍ୟାନରେ ରଖି ଗୁଜୁରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଏକ ଗବେଷଣା ମଧ୍ୟ କରାଯାଇଛି। ଭାରତରେ କରୋନାର ଦ୍ବିତୀୟ ଲହରରେ B.1.617.2 ଭାରିଏଣ୍ଟ ଘାତକ ସାବ୍ୟସ୍ତ ହୋଇଛି। ଏହାକୁ ଏବେ ଡେଲ୍ଟା ନାମରେ ନାମିତ କରାଯାଇଛି।
ଏହି ଭାରିଏଣ୍ଟ ନିଜର ରୂପ ବଦଳାଇଛି। ଏଥିରୁ ଦୁଇଟି ଆମିନୋ ଏସିଡ୍ ଗାଏବ ରହିଥିବା ଜଣାପଡ଼ିଛି। ଭାରିଏଣ୍ଟରେ ପରିବର୍ତ୍ତନ ଶରୀରରେ ଆଣ୍ଟିବଡିକୁ ମାତ ଦେବାକୁ ସଫଳ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଭୂତାଣୁର ବଦଳୁଥିବା ରୂପକୁ ଜାଣିବାକୁ ହେଲେ ଅଧିକରୁ ଅଧିକ ଜିନୋମ ସିକ୍ବେନ୍ସିଂର ଆବଶ୍ୟକତା ରହିଥିବା କହିଛନ୍ତି ବୈଜ୍ଞାନିକ।