କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ପହଞ୍ଚିଲେ କୋର୍ଟ, ସରକାରଙ୍କୁ ମାଗିଲେ ୧୦ କୋଟି ଡଲାର କ୍ଷତିପୂରଣ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨: କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଜନ ସରକାରଙ୍କୁ ଘେରିଛନ୍ତି। କରୋନାରେ ସମ୍ପର୍କୀୟଙ୍କ ମୃତ୍ୟୁ ହେବା ପରେ ଏନେଇ କ୍ଷତିପୂରଣ ମାଗିଛନ୍ତି। ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ବାବଦକୁ ୧୦ କୋଟି ଡଲାର ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଏଭଳି ଏକ ମାମଲା ଇଟାଲିରୁ ସାମ୍ନାକୁ ଆସିଛି। କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଜନ ଇଟାଲିର ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ମକୋଦ୍ଦମା ମଧ୍ୟ କରିଛନ୍ତି ।

ପଶ୍ଚିମୀ ଦେଶଗୁଡ଼ିକ ମଧ୍ୟରେ ପ୍ରଥମେ କରୋନା କୋପ ଇଟାଲି ଉପରେ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଫେବୃଆରୀରେ କରୋନା ଏଠାରେ ସଂହାରଲୀଳା ଚଳାଇଥିଲା। ହଜାର ହଜାର ଲୋକଙ୍କ ଜୀବନ ନେଇଥିଲା କରୋନା। ଏବେ ସୁଦ୍ଧା ଇଟାଲିରେ ୭୦ ହଜାର ଲୋକ କରୋନା ମହାମାରୀରେ ଜୀବନ ହରାଇଲେଣି। ତେବେ ସରକାରଙ୍କ ଉପରେ କେସ କରିଥିବା ଗ୍ରୁପ୍‌ର ସଭାପତିଙ୍କ କହିବା ଅନୁଯାୟୀ, ଏହା ସେହି ସରକାରୀ ଅଧିକାରୀଙ୍କୁ କ୍ରିସ୍‌ମାସ୍‌ ଗିଫ୍ଟ ଯେଉଁମାନଙ୍କ ପାଖରୁ କିଛି ଭଲ କାମର ଅପେକ୍ଷା ଥିଲା କିନ୍ତୁ ସେମାନେ କଲେ ନାହିଁ।

ତେବେ ମିଳିଥିବା ରିପୋର୍ଟ ଅନୁସାରେ ଇଟାଲିର ହସ୍ପିଟାଲଗୁଡ଼ିକର ଉନ୍ନତ୍ତି ଚାଲିଥିଲା। କରୋନା ନେଇ ଆଲର୍ଟ ଜାରି ହେବା ପରେ ବି ହସ୍ପିଟାଲ ମରାମତି କାମ ସରିନଥିଲା। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ୍ବେବସାଇଟ୍‌ରେ ଉଲ୍ଲେଖ ଥିଲେ ବି ଏହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ହଟାଇ ଦିଆଯାଇଥିଲା। କିଛି ଭୁଲ ତଥ୍ୟ ପାଇଁ ଏହାକୁ ହଟାଇ ଦିଆଯାଇଛି ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଥିଲା। କେସ୍‌ କରିଥିବା ଗ୍ରୁପ୍‌ର ଅଭିଯୋଗ ଅନୁସାରେ, ଯଦି ପ୍ରଶାସନ ତତ୍କାଳ କିଛି ପଦକ୍ଷେପ ନେଇଥାନ୍ତା ତେବେ ଦେଶବ୍ୟାପୀ କରୋନା ସ୍ଥିତି ଏଭଳି ହୋଇନଥାନ୍ତା କି ଆର୍ଥିକ ସଂକଟ ଭଳି ପରିସ୍ଥିତି ଉପୁଜିନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.