ବିଶ୍ୱରେ ଥମୁନି କରୋନା ପ୍ରକୋପ : ଲକ୍ଷେ ୧୪ ହଜାର ଲୋକଙ୍କ ମୃତ୍ୟୁ, ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆମେରିକାରେ ସ୍ଥିତି ଅଣାୟତ୍ତ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩ ।୦୪: ଚୀନ୍‌ ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ । ଏବେ ସାରାବିଶ୍ୱରେ ମହାମାରୀ ରୂପ ନେଇସାରିଲାଣି । ବିଶ୍ୱର ୨୧୦ରୁ ଅଧିକ ଦେଶ କରୋନା କବଳରେ ଆସିସାରିଲେଣି । ତେବେ କରୋନା ଭାଇରସ୍‌ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏପର୍ଯ୍ୟନ୍ତ ୨୧ ହଜାରରୁ ଅଧିକ ମୁଣ୍ଡ ନେଇସାରିଲାଣି । ମୃତ୍ୟୁ ସଂଖ୍ୟାରେ ଏହା ଇଟାଲୀକୁ ଟପିଯାଇଛି । ଏଥିସହ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୦ ହଜାରରେ ପହଞ୍ଚିଛି । ରବିବାର ଏଠାରେ ୮୫୮ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ବେଳେ ଶନିବାର ୧୮ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ନ୍ୟୁୟର୍କ, ନ୍ୟୁଜର୍ସି ଓ ଚିକାଗୋ ସମେତ ବହୁ ସହର ଛାରଖାର ହୋଇଯାଇଛି ।

ଚିକାଗୋର କୁକ୍‌ କାଉଣ୍ଟିରେଏକ ଅସ୍ଥାୟୀ ଶବାଗାର ନିର୍ମାଣ କରାଯାଇଛି । ସେଠାରେ ପ୍ରାୟ ୨ ହଜାରରୁ ଅଧିକ ମୃତଦେହ ରଖାଯାଇଛି । ଅନ୍ୟପକ୍ଷରେ ପ୍ରାୟ ୧୦୦ ଦିନରେ କରୋନା ଭାଇରସ୍‌ ପ୍ରାୟ ୨୧୦ ଦେଶକୁ କବଳିତ କରିଛି । ଡିସେମ୍ବର ୩୧ରେ ଚୀନ୍‌ର ୱୁହାନ ସହରରେ ଏହି ରୋଗ ପ୍ରଥମେ ଦେଖାଯାଇଥିଲା । ୨୦୨୦କୁ ସ୍ୱାଗତ କରିବା ଲାଗି ବିଶ୍ୱ ପୁରା ଦମ୍‌ରେ ଲାଗିଥିଲା ବେଳେ ୱୁହାନର ସି-ଫୁଡ ମାର୍କେଟରେ ପାଦ ଦେଇଥିଲା କରୋନା । ଇତିମଧ୍ୟରେ ତାହା ସମଗ୍ର ବିଶ୍ୱକୁ କରାୟତ୍ତ କରିସାରିଛି । ଏଥିରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଥିଲା ବେଳେ ୧ ଲକ୍ଷ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ୧୨ ଲକ୍ଷ ୮୫ ହଜାରରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୫୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏତିକି ଆଶ୍ୱସ୍ତର ଖବର ଏହି କି ଯେ ବର୍ତ୍ତମାନ ସୁଦ୍ଧା ଏହି ରୋଗକୁ ମାତ୍‌ ଦେଇ ୪ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇପାରିଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରି ଅସାଧାରଣ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମେସ୍ତ ଏହା କବଳରେ ପଡିଛନ୍ତି । ୟୁରୋପ ମହାଦେଶ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବହୁ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଅନେକ ଲୋକ ବେରୋଜଗାରୀ ହୋଇଯାଇଛନ୍ତି । ସଡକ, ରେଳ ଓ ବିମାନ ସେବା ବନ୍ଦ ରହିଛି ।

ସେପଟେ ଆମେରିକା ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୬ ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁସଂଖ୍ୟା ୧୭ ହଜାରରେ ପହଞ୍ଚିଛି । ରବିବାର ଏଠରେ ୩୬୬ ଜଣଙ୍କର ମୃତ୍ୟୁ ଘଟିଛି । ସଂକ୍ରମିତ ତାଲିକାର ତୃତୀୟ ସ୍ଥାନରେ ରହିଛି ଇଟାଲୀ । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୬ ହଜାର ୩୬୩ରେ ପହଞ୍ଚିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଏହା ଆମେରିକା ତଳକୁ ଦ୍ୱିତୀୟରେ ରହିଛି । ଏଠାରେ ମୋଟ ମୃତ୍ୟୁସଂଖ୍ୟା ୧୯ ହଜାର ୯୦୦ ଥିବା ଜଣାପଡିଛି ।

ସେହିଭଳି ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଇରାନ, ବେଲ୍‌ଜିୟମ, ସୁଇଜରଲାଣ୍ଡ ଓ ନେଦରଲାଣ୍ଡସ୍‌ ଭଳିଦେଶଗୁଡିକୁ କରୋନା ଭାଇରସ୍‌ ମାଡିଚାଲିଛି । ଫ୍ରାନ୍ସରେ ୧ଲକ୍ଷ ୩୦ ହଜାର ସଂକ୍ରମିତ ହୋଇଥିଲା ବେଳେ ୧୩ ହଜାର ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜର୍ମାନୀରେ ୧ ଲକ୍ଷ ୨୬ ହଜାର ସଂକ୍ରମିତ ଓ ୨ ହଜାର ୮୮୬ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୨୮୦କୁ ବୃଦ୍ଧି ପାଇଥିଲା ବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ୬୦୦ ଅତିକ୍ରମ କରିଛି । ଏଠାରେ ରବିବାର ୫ ହଜାର ୩୦୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ୭୩୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ରେ ଏହାର ସଂକ୍ରମଣ ହ୍ରାସ ପାଇଛି । ଚୀନ୍‌ରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ୫୨ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ୩୩୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.