ସାରା ବିଶ୍ବରେ କରୋନା ନେଲାଣି ୧ଲକ୍ଷ ୬୫ହଜାର ଜୀବନ : ଆମେରିକାରେ ମୃତ୍ୟୁ ସଂଖ୍ୟା ଟପିଲା ୪୦ହଜାର, ଟ୍ରମ୍ପ୍ କହିଲେ ସବୁଠୁ ଅଧିକ ହୋଇଛି ପରୀକ୍ଷା

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୪: ସମଗ୍ର ବିଶ୍ବରେ କରୋନା ବିପର୍ଯ୍ୟୟ ଜାରି ରଖିଛି । ଏହି ମହାମାରୀ ଯୋଗୁଁ ସାରା ବିଶ୍ବରେ ୧.୬୫ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ ୨୪ ଲକ୍ଷରୁ ଅଧିକ ଲୋକ ଏହି ଭାଇରସର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୯୯୭ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି । ତେବେ ଚୀନରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି । ରବିବାର ଦିନ ଗୋଟିଏ ବି ମୃତ୍ୟୁ ହୋଇନାହିଁ । କରୋନା ଯୋଗୁଁ ଆମେରିକା ପରେ ଇଟାଲୀ, ସ୍ପେନ୍, ଫ୍ରାନ୍ସ ଏବଂ ବ୍ରିଟେନ ସର୍ବାଧିକ କ୍ଷତି ସହିଛନ୍ତି ।

ରବିବାର ଦିନ ସ୍ପେନରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦୪୫୩କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ କହିଛି ଯେ ମହାମାରୀ ହେତୁ ଏପର୍ଯ୍ୟନ୍ତ ୨୦୪୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୪୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶନିବାର ଦିନ ୫୬୫ ଜଣଙ୍କର ମୃତ୍ୟୁ ହୋଇଛି ।

ସମଗ୍ର ବିଶ୍ବରେ ଦ୍ରୁତତମ ପୁନରୁଦ୍ଧାର ଦେଶଗୁଡିକର ଶୀର୍ଷରେ ଜର୍ମାନୀ ଥିବା ମନେହୁଏ । ଆମେରିକା ଅପେକ୍ଷା ଏଠାରେ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି । ଲୋକଙ୍କ ମୃତ୍ୟୁ ସଂଖ୍ୟା ଆମେରିକା ତୁଳନାରେ ୯୦ ପ୍ରତିଶତ କମ୍ । ଜର୍ମାନୀରେ ଏପର୍ଯ୍ୟନ୍ତ ୪୬୪୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଜର୍ମାନୀରେ ୮୮,୦୦୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଆମେରିକାରେ ଏହି ସଂଖ୍ୟା ୭୦୫୫୮ ରହିଛି ।

ସେହିଭଳି ବ୍ରିଟେନରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ୫୯୬ ଜଣଙ୍କ ମୃତ୍ୟୁ ସହିତ ଦେଶରେ କୋଭିଡ-୧୯ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୬୦୬୦କୁ ବୃଦ୍ଧି ପାଇଛି ।

ଆମେରିକାରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ ୧୯୯୭ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ ଆମେରିକାର କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୦୬୬୧ରେ ପହଞ୍ଚିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୪୧.୮ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି । ଏହି ସଂଖ୍ୟା ଯେକୌଣସି ଦେଶ ଅପେକ୍ଷା ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.