ବିଶ୍ବବ୍ୟାପୀ କରୋନା ମହାମାରୀର ତାଣ୍ଡବ, ୧ ଲକ୍ଷ ଅତିକ୍ରମ କଲା ମୃତ୍ୟୁସଂଖ୍ୟା, ୧୬ଲକ୍ଷରୁ ଅଧିକ ସଂକ୍ରମିତ

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୪: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ସମଗ୍ର ବିଶ୍ବକୁ ବଦଳାଇ ଦେଇଛି। ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଭାରତ ସମେତ ଅନେକ ଦେଶରେ ଲକ୍ ଡାଉନ୍ କରାଯାଇଛି । ଲକ୍ ଡାଉନ୍ ଯୋଗୁଁ ରାସ୍ତାଘାଟ, ଗଳିକନ୍ଦି, ସ୍କୁଲ, କଲେଜ, ସପିଂ ମଲ୍, ସିନେମା ହଲ୍ ଏବଂ ଧାର୍ମିକସ୍ଥଳ ଲୋକଶୂନ୍ୟ ହୋଇଯାଇଛି । ଏହା ସତ୍ତ୍ବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଏବଂ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା କୌଣସି ପ୍ରକାରରେ କମିବାର ନାମ ନେଉନାହିଁ । ଏହି ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଯାହା ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି ।

ବର୍ତ୍ତମାନ ସୁଦ୍ଧା ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୫୦ ହଜାରରୁ ଅଧିକ ହୋଇଛି । ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୩୭୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୬୮ ହଜାର ୬୬୮ ଜଣ ମଧ୍ୟ ଚିକିତ୍ସା ଦ୍ବାରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ମାରାତ୍ମକ ଭାଇରସ୍ କାରଣରୁ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି । ଇଟାଲୀରେ କରୋନା ଭାଇରସ୍ ଯୋଗୁଁ ପ୍ରାୟ ୧୮ ହଜାର ୮୪୮ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକାରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୫ ହଜାର ୭୪୫ ରୁ ଅଧିକ ରହିଛି । ଯାହା ବିଶ୍ବର ଅନ୍ୟ ଦେଶ ତୁଳନାରେ ସର୍ବାଧିକ । ତେବେ କରୋନା ଭାଇରସ୍ ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍ ଯୋଗୁଁ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି । ଇଟାଲୀରେ ୧୮,୮୪୮ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାପରେ ସ୍ପେନ୍ ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି । ସ୍ପେନ୍ ରେ କରୋନା ଭାଇରସ୍ ଯୋଗୁଁ ୧୫ ହଜାର ୯୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୬୦୫ଜଣଙ୍କର ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ବ୍ରିଟେନରେ କରୋନା ଭାଇରସ୍ ରେକର୍ଡ ୯୮୦ ଲୋକଙ୍କର ମୃତ୍ୟୁ ଘଟିଛି । ବ୍ରିଟେନରେ କରୋନା ଭାଇରସ୍ କାରଣରୁ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ । ଏହାସହ ବ୍ରିଟେନରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୮ ହଜାର ୯୫୮ ଅତିକ୍ରମ କରିଛି। ବ୍ରିଟେନରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ହଜାର ୭୫ ଅତିକ୍ରମ କରିଛି ।

ସେହିଭଳି ଫ୍ରାନ୍ସରେ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ୯୮୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ଫ୍ରାନ୍ସରେ କରୋନା ଭାଇରସରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୧୩ ହଜାର ୧୯୭ରେ ପହଞ୍ଚିଛି। ଏହା ବ୍ୟତୀତ ବେଲଜିୟମରେ କରୋନା ଭାଇରସ୍ ଯୋଗୁଁ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୬ ଲୋକ ଏଠାରେ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.