ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗିଲା, ଗୋଟିଏ ଦିନରେ ୧୦୦୦ ମୃତ

Published By : Prameya-News7 Bureau | March 28, 2020 IST

ରୋମ୍ ୨୮।୩: କରୋନା ଭାଇରସ୍ ର କେନ୍ଦ୍ରସ୍ଥଳୀ ପାଲଟିଥିବା ଇଟାଲୀରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢି ବଡି ଚାଲିଛି । ଏହି ମହାମାରୀ ଇଟାଲୀରେ ସବୁଠାରୁ ଅଧିକ ବିନାଶ ଘଟାଇଛି | ୟୁରୋପର ଏହି ଦେଶରେ ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି । କେବଳ ଶୁକ୍ରବାର ଦିନ ଏଠାରେ ସର୍ବାଧିକ ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ କରୋନା ଭାଇରସ୍ ଏଠାରେ ପ୍ରାୟ ୧୦୦୦ଲୋକଙ୍କର ମୁଣ୍ଡ ନେଇଥିଲା ।

କରୋନା ଭାଇରସ୍ କେବଳ ଯେ ୟୁରୋପର ଏହି ଦେଶରେ କ୍ଷତି ଘଟାଇଛି ତାହା ନୁହେଁ । ଏହାର ପ୍ରକୋପରେ ବ୍ରିଟେନ୍, ସ୍ପେନ୍, ଜର୍ମାନୀ ଭଳି ଦେଶ ଶିକାର ହୋଇଛନ୍ତି । ସମଗ୍ର ୟୁରୋପରେ କରୋନା ଭାଇରସ୍ ରେ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କେବଳ ଇଟାଲୀରେ ୮୬,୦୦୦ରୁ ଅଧିକ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ କରୋନା ଭାଇରସ୍ ଯୋଗୁଁ ଗୁରୁବାର ଦିନ ୭୧୨ ଜଣ, ବୁଧବାର ଦିନ ୬୮୩, ମଙ୍ଗଳବାର ଦିନ ୭୪୩ ଏବଂ ସୋମବାର ଦିନ ୬୦୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସାରା ବିଶ୍ବରେ ମୋଟ୍ ୫,୬୬,୨୬୯ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୨୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଚୀନ୍ ପରେ କରୋନା ୟୁରୋପରେ ହଇଚଇ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ କରୋନା ଭାଇରସ୍ ଯୋଗୁଁ ୭୬୯ ଜଣଙ୍କର ମୃତ୍ୟୁ ଘଟିଛି । ସ୍ପେନରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା । ଏଟାରେ ସଂକ୍ରମିତଙ୍କ ସଂଖ୍ୟା ୬୫,୦୫୯କୁ ବୃଦ୍ଧି ପାଇଛି | ଏହାସହ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୦୦ ଲୋକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫,୫୯୪ରେ ପହଞ୍ଚିଛି।

ଆମେରିକା ଏବଂ ୟୁରୋପରେ କରୋନା ବିସ୍ତାର ବଢି ଚାଲିଥିବା ବେଳେ ଭାରତରେ ମଧ୍ୟ ଏହାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫ଜଣ ସଂକ୍ରମିତ ହୋଇଛନ୍ତି । ଭାରତରେ ୮୦୦ରୁ ଅଧିକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.