ଗୁଜୁରାଟରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ପଛରେ ରହିଛି ଉହାନ ଲିଙ୍କ୍ !
27/04/2020 at 7:59 PM

ଅହମ୍ମଦାବାଦ ୨୭।୪: ଗୁଜୁରାଟରେ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୧୫୧ରେ ପହଞ୍ଚିଛି । ଅହମ୍ମଦାବାଦରେ ସର୍ବାଧିକ ୧୦୪ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଗୁଜୁରାଟରେ ବ୍ୟାପିଥିବା ଏହି ଭାଇରସ୍ ଉହାନ ସହିତ ସିଧାସଳଖ ଲିଙ୍କ୍ ଥିବା ଆଶଙ୍କା କରାଯାଉଛି ।
ଗୁଜୁରାଟରେ କରୋନା ଯୋଗୁଁ ଅଧିକ ମୃତ୍ୟୁ ହାରର କାରଣ ଏହି ଭାଇରସର ଏଲ୍-ଟାଇପ୍ ଷ୍ଟ୍ରେନ୍ ଦର୍ଶାଯାଇଛି । ଚୀନ୍ ଉହାନରେ ଏଲ୍ ଆକୃତିର ଭାଇରସ୍ ବହୁଳ ଭାବେ ଦେଖିବାକୁ ମିଳିଥିଲା । ଏଲ୍ ଷ୍ଟ୍ରେନ୍ ଭାଇରସ୍ ଏସ୍ ଷ୍ଟ୍ରେନ୍ ଭାଇରସ୍ ଠାରୁ ଅଧିକ ମାରାତ୍ମକ ଅଟେ ।
ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ଜଣେ ବୈଜ୍ଞାନିକ ମଧ୍ୟ ରାଜ୍ୟରେ ଏଲ୍ ଷ୍ଟ୍ରେନ୍ ଭାଇରସ୍ ଥିବା ନିଶ୍ଚିତ କରିଛନ୍ତି । ଗୁଜୁରାଟର ସ୍ବାସ୍ଥ୍ୟ ସଚିବ ଜୟନ୍ତୀ ରବି କହିଛନ୍ତି ଯେ ଗୁଜୁରାଟରେ ଯେଉଁ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି କିମ୍ବା ମୃତ୍ୟୁ ହୋଇଛି ସେମାନଙ୍କର ରିସର୍ଚ୍ଚ କରାଯାଉଛି । ସେମାନଙ୍କ ମଧ୍ୟରେ ଏଲ୍ ଷ୍ଟ୍ରେନ୍ ଭାଇରସ୍ ଦେଖିବାକୁ ମିଳିଛି, ଯାହା ଅଧିକ ମାରାତ୍ମକ ଅଟେ ।
ଏଲ୍-ଷ୍ଟ୍ରେନ୍ ଭାଇରସ୍ ଚୀନ୍ ଉହାନରେ ହଇଚଇ ସୃଷ୍ଟି କରିଥିଲା । ଆମେରିକାରେ ମଧ୍ୟ ଏଲ୍-ଷ୍ଟ୍ରେନ୍ ଭାଇରସ୍ ଅଧିକ ମାମଲା ରହିଛି ବୋଲି ଆଶଙ୍କା କରାଯାଉଛି । ଆମେରିକାର କିମ୍ବା ଉହାନରୁ ହିଁ ଗୁଜୁରାଟରେ କରୋନା ଭାଇରସ୍ ସଂକ୍ରମଣ ଘଟିଥିବା ଆଶଙ୍କା କରାଯାଉଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ମୃତ୍ୟୁ ହାର ଅଧିକ ହେବା ପଛରେ ଏହା ଏକ ବଡ କାରଣ ହୋଇପାରେ ।
ଏହାସହ କେରଳରେ ଏସ୍ ଷ୍ଟ୍ରେନ୍ ଦେଖିବାକୁ ମିଳୁଛି । ଯାହା ଏଲ୍-ଷ୍ଟ୍ରେନ୍ ତୁଳନାରେ ଦୁର୍ବଳ । ବିଶ୍ବରେ ଯେଉଁଠାରେ ମୃତ୍ୟୁ ହାର ଅଧିକ, ସେଠାରେ ଏଲ୍- ଷ୍ଟ୍ରେନ୍ ଭାଇରସ୍ ଦେଖିବାକୁ ମିଳିଛି । ଦେଶରେ କରୋନା ସଂକ୍ରମଣ ମହାରାଷ୍ଟ୍ର ପରେ ଗୁଜୁରାଟରେ ସର୍ବାଧିକ ରହିଛି । ଏଠାରେ ଏପର୍ଯ୍ୟନ୍ତ ୩୩୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।