କରୋନା ଜନିତ ମୃତ୍ୟୁ ସନ୍ଦେହ, ଶବଦାହ ପାଇଁ ମନା କଲେ ଗ୍ରାମବାସୀ, ମୃତଦେହ ଧରି ଫେରିଗଲା ଆମ୍ବୁଲାନ୍ସ
14/09/2020 at 8:04 PM

ଭଦ୍ରକ,୧୪|୦୯: ଶବ ଦାହ ପାଇଁ ମୃତଦେହ ନେଇ ଆସିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଦେଖି ଗ୍ରାମବାସୀଙ୍କ ମଧ୍ୟ ରେ ଉତ୍ତେଜନା ଦେଖାଦେଲା । ରାଜପଥ ଉପରେ ଗ୍ରାମବାସୀ ହୋହଲା କଲେ । ଶେଷ ରେ ପୋଲିସ ପହଞ୍ଚି ଘଟଣାର ସମାଧାନ କଲା ଓ ମୃତଦେହ କୁ ନେଇ ଆମ୍ବୁଲାନ୍ସ ଫେରିଗଲା । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ରେ ।
ସୂଚନାନୁସାରେ, ଭଦ୍ରକ ଜିଲ୍ଲାର କେନ୍ଦୁଆପଦା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ଶବ ଦାହ ପାଇଁ ୧୬ ନମ୍ବର ଜାତୀୟ ରାଜପଥର ବିଭୁତିପୁର ନିକଟ ଝାଉଁ ବଣ ନିକଟକୁ ନିଆଯାଇଥିଲା । ସେଠାରେ ଆମ୍ବୁଲାନ୍ସରେ ମୃତଦେହ ଦେଖି କରୋନା ଜନିତ ମୃତ୍ୟୁ ସନ୍ଦେହ କରିଥିଲେ ଗ୍ରାମବାସୀ । ଶବଦାହ ପାଇଁ ଅନୁମତି ଥିବା ମୃତକଙ୍କ ସମ୍ପର୍କୀୟ କହିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଶବ ସତ୍କାର ପାଇଁ ଅନୁମତି ଦେଇନଥିଲେ । ପରେ ଉତ୍ତେଜନାକୁ ଦେଖି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଧାମନଗର ପୋଲିସ ପହଞ୍ଚିଥିଲା ।
ଉତ୍ତ୍ୟକ୍ତ ଲୋକେ ଶବ ଦାହ ନକରିବା ଦାବିରେ କିଛି ସମୟ ପାଇଁ ରାଜପଥ ଅବରୋଧ କରିଥିଲେ । ପରେ ପୋଲିସ ଉପସ୍ଥିତିରେ ମୃତଦେହକୁ ନେଇ ଆମ୍ବୁଲାନ୍ସ ସେହିସ୍ଥାନରୁ ପଳାଇଥିଲା । ପରେ ଉତ୍ତେଜନା ହ୍ରାସ ପାଇଥିଲା । ତେବେ ମୃତକ କରୋନା ସଂକ୍ରମିତକି ନୁହେଁ ସେ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସ୍ପଷ୍ଠ ସୂଚନା ମିଳିନାହିଁ । ଉତ୍ତେଜନାକୁ ନଜରରେ ରଖି ଉଭୟ ଥାନାର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି ।