କରୋନା- ଭୟଙ୍କରଠାରୁ ଆହୁରି ଭୟଙ୍କର: ଜଣେ ରୋଗୀ ୫୯ ହଜାର ଲୋକଙ୍କୁ କରିପାରେ ସଂକ୍ରମିତ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫/୦୩ : ଜଣେ ଅଭିଜ୍ଞ ଡାକ୍ତର କହିଛନ୍ତି ଯେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ବ୍ୟକ୍ତି ୫୯ ହଜାର ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ଲଣ୍ଡନ ୟୁନିଭରସିଟିର ଇଣ୍ଟେନ୍ସିଭ୍ କେୟାର ମେଡିସିନ୍ ପ୍ରଫେସର ଡ.ମଣ୍ଟଗୋମେରୀ ଏହା କହିବା ବେଳେ ଯୁକ୍ତି ରଖିଛନ୍ତି ଯେ, କରୋନା ଭୂତାଣୁ ଏକ ସଂକ୍ରାମକ ଭୂତାଣୁ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଡ.ମଣ୍ଟଗୋମେରୀ ବର୍ଣ୍ଣନା କରିଛନ୍ତି କିଭଳି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଲୋକ ସଂକ୍ରମିତ ହୋଇଥାନ୍ତି | ଏନେଇ ବିସ୍ତୃତ ବର୍ଣ୍ଣନା ବେଳେ ଡ.ମଣ୍ଟଗୋମେରୀ କରୋନା ଭୂତାଣୁର ପ୍ରକୃତି ମରାତ୍ମକତା ଉଲ୍ଲେଖ କରିଛନ୍ତି । ଏହା ସହ ତାହାକୁ ରୋକିବା ଲାଗି ସାମାଜିକ ଦୂରତା କାର୍ଯ୍ୟକାରୀ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଡ.ମଣ୍ଟଗୋମେରୀ କହିଛନ୍ତି ଯେ ଯଦି ଜଣେ ସାଧାରଣ ଫ୍ଲୁ ବା ଜ୍ବରରେ ଆକ୍ରାନ୍ତ  ବ୍ୟକ୍ତି ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ତାହା ସଂକ୍ରମିତ କରିଥାନ୍ତି । ସ୍ବାଇନ୍ ଫ୍ଲୁ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରେ ଏବଂ ଯଦି ସଂକ୍ରମଣ ଚକ୍ର ୧୦ ଥର ଜାରି ରହେ ତେବେ ସମୁଦାୟ ୧୪ ଟି ସଂକ୍ରମଣ ହୋଇଥାଏ । ସେ ଫ୍ଲୁ ସହିତ କରୋନା ଭୂତାଣୁ ତୁଳନା କରିଛନ୍ତି ଏବଂ ଏହାର ବିପଦ ବିଷୟରେ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, କରୋନା ଜୀବାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ପ୍ରାୟ ୩ ଜଣଙ୍କୁ ବ୍ୟାପିଥାଏ। ସେ   ଆହୁରି କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହି ସଂକ୍ରମଣ ଚକ୍ର ୧୦ ଥର ଚାଲେ ତାହେଲେ ୫୯ ହଜାର ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି।

ଉଦାହରଣ ସ୍ବରୂପ ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ | ଏପରି ଚକ୍ର ଦର୍ଶାଇଛନ୍ତି ଡ.ମଣ୍ଟଗୋମେରୀ।

ଡ.ମଣ୍ଟଗୋମେରୀ କହିଛନ୍ତି ଯେ ସେ କରୋନା ଭୂତାଣୁ ସହିତ ଜଡିତ ତଥ୍ୟକୁ କମ କରି ଦେଖାଇବେ ନାହିଁ। ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ କିଛି ପ୍ରତିଶତ ଲୋକ ଅସୁସ୍ଥ ହୋଇଯିବେ ଏବଂ ସେମାନଙ୍କ ମଧ୍ୟରୁ ବହୁତ କମ୍ ପ୍ରତିଶତ ଲୋକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ।ତଥାପି, ଯେଉଁମାନେ ଅସୁସ୍ଥ ହୁଅନ୍ତି ନାହିଁ ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ନିକଟରେ ଏହି ଭାଇରସ୍‌କୁ ବିସ୍ତାର କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.