ଭାରତରେ ଏହି ୪ କାରଣରୁ ବଢୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣିଥରେ ପଜିଟିଭ୍ ହେବା ଆଶଙ୍କା

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ,୧୪/୦୪:  ଦେଶରେ ଚାଲିଛି କରୋନା ସଂକ୍ରମଣର ଦ୍ୱିତୀୟ ଲହର । ଗତ ୩ ଦିନ ହେବ ଦେଢ ଲକ୍ଷରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସୁଛି । ଗତ ଲହର ଅପେକ୍ଷା ଚଳିତ ଥର ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ସଂକ୍ରମଣ ବଢିବା ପଛରେ ଚାରୋଟି କାରଣ ଥିବା ବିଶେଷଜ୍ଞମାନେ ମାନୁଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, କରୋନାର ନୂଆ ଷ୍ଟ୍ରେନ୍, ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ଶେଷ ହେବା, କରୋନାର ଦ୍ୱିତୀୟ ମ୍ୟୁଟେସନ୍ ଓ କଟକଣା ନମାନିବାରୁ ସଂକ୍ରମଣ ବଢିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି ବା ଆଇଜିଆଇବିର ରିପୋର୍ଟ ଅନୁସାରେ, ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେମାନଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତା ୬ ମାସରେ ହିଁ ହ୍ରାସ ପାଉଛି । ୩୦ ପ୍ରତିଶତ ଲୋକଙ୍କଠାରେ ଆଉ ଆଣ୍ଟିବଡି ନାହିଁ ।   

ଆଇଜିଆଇବିର ନିର୍ଦ୍ଦେଶକ ଅନୁରାଗ ଅଗ୍ରଓ୍ୱାଲ କହିଛନ୍ତି ଯେ, ଯଦି ୩ ଜଣଙ୍କ କରୋନା ହୋଇଛି, ସେମାନଙ୍କ ମଧ୍ୟରୁ ଜଣଙ୍କୁ ୬ ମାସ ପରେ ପୁଣି କରୋନା ହୋଇପାରେ । କିନ୍ତୁ ଅନ୍ୟ ୨ଜଣ କେତେ ଦିନ ଯାଏଁ ସଂକ୍ରମିତ ହେବେ ନାହିଁ ତାହା କହିବା କଷ୍ଟକର । ୨୪ ସହରର ୨୦୦ ଜଣଙ୍କ ଉପରେ ଗବେଷଣା କରାଯାଇ ରିପୋର୍ଟ ଆସିଛି । ଦିଲ୍ଲୀରେ ସେରୋ ସର୍ଭେରେ ପ୍ରାୟ ୬୦ ପ୍ରତିଶତ କରୋନା ସଂସ୍ପର୍ଶରେ ଆସିଥିବା ଜଣାପଡିଥିଲା । ୬ ମାସ ପରେ ୩୦ ପ୍ରତିଶତରୁ ଅଧିକ ପୁଣି ସଂକ୍ରମିତ ହୋଇଛନ୍ତି ।

ବର୍ଦ୍ଧମାନ ମହାବୀର ମେଡିକାଲ କଲେଜର ପ୍ରଫେସର ଯୁଗଳ କିଶୋର କହିଛନ୍ତି ଯେ, ବ୍ରିଟେନ ଷ୍ଟ୍ରେନ୍ ପଞ୍ଜାବ, ଦିଲ୍ଲୀ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛି । ସାରା ଦେଶରେ ଏହି ଷ୍ଟ୍ରେନ୍ ବ୍ୟାପି ଯାଇଛି । ସେହିପରି ଆଫ୍ରିକାର ଷ୍ଟ୍ରେନ୍ ମଧ୍ୟ ମାଡି ଚାଲିଛି । ବ୍ରାଜିଲ ଷ୍ଟ୍ରେନ୍ କିନ୍ତୁ ସୀମିତ ରହିଛି ।

ଆହୁରି ମଧ୍ୟ କେତେକ ସ୍ଥାନରେ ଅମାନିଆ କଟକଣା ମାନୁ ନାହାଁନ୍ତି । କରୋନା ଗାଇଡଲାଇନକୁ ପାଳନ କରୁନାହାଁନ୍ତି । ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ମଧ୍ୟ ଦେଉ ନାହାଁନ୍ତି । ତେଣୁ ସଂକ୍ରମଣ ବୃଦ୍ଧି ପାଉଛି । କିନ୍ତୁ ଲୋକଙ୍କ ମନରେ ଆଉ କରୋନା ଡର ସେତେଟା ନାହିଁ । ଟିକା ଆସିବା ପରେ ବି ଭୟ କମିଛି ।

ଆଇଆଇଟି କାନପୁରର ପ୍ରଫେସର ମନିନ୍ଦର ଅଗ୍ରଓ୍ୱାଲ କହିଛନ୍ତି ଯେ, ପ୍ରଥମ ଲହରରେ କରୋନା ସଂକ୍ରମଣ ହାର ୦.୧୫ ପ୍ରତିଶତ ଥିଲା । ଯାହା ଏବେ ୦.୪ ରହିଛି । ଅର୍ଥାତ ପ୍ରଥମ ଲହରରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୦.୧୫ ଲୋକଙ୍କୁ ସଂକ୍ରମିତ କରୁଥିଲେ । ଅର୍ଥାତ ୭ ଦିନରେ ଜଣେ ସଂକ୍ରମିତ ହୋଇଥିଲେ । ଏବେକିନ୍ତୁ ଅଢେଇ ଦିନରେ ଜଣେ ସଂକ୍ରମିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.