କରୋନା ସଂକଟ: ନୀତିନ ଗଡକରି କହିଲେ ଏବେ ରାଜ୍ୟ ସରକାରମାନେ କର୍ମଚାରୀଙ୍କୁ ଦରମା ଦେଇପାରିବେ କି ନା ସନ୍ଦେହ

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧।୬:  କରୋନା ଭାଇରସ ସଂକ୍ରମଣ ଓ ଏହାକୁ ନେଇ ଦେଶରେ ଜାରି ଲକଡାଉନ୍‌ ରାଜସ୍ୱ ଆୟ ହ୍ରାସ କରିଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ଆଗାମୀ ମାସରୁ କେତେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କୁ ବେତନ ଦେଇ ପାରିବେ କି ନା ସେ ନେଇ ଏବେ ସନ୍ଦେହ ଉପୁଜିଲାଣି। ଏହା କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ନାଗପୁରରୁ ମଧ୍ୟପ୍ରଦେଶ ଭୋପାଲରେ ଆୟୋଜିତ ଜନସମ୍ବାଦ ଡିଜିଟାଲ ରାଲିକୁ ସମ୍ବୋଧନ କରି ଗଡକରୀ ଏହା କହିଛନ୍ତି।

ସେ କହିଛନ୍ତି ଯେ କରୋନା ଲକଡାଉନ୍ ଯୋଗୁ ସାରା ବିଶ୍ୱ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଏଥିରେ ଆର୍ଥିକ ଯୁଦ୍ଧ  ମଧ୍ୟ ଆରମ୍ଭ ହୋଇଯାଇଛି। ଫଳର ଆମର ଗାଁ, ଗରିବ, ଶ୍ରମିକ ଓ ଚାଷୀ ସମସ୍ତେ ଏବେ ସଂକଟରେ। ଏଥିରୁ ଭାରତ ସରକାର ମଧ୍ୟ ବାଦ ଯାଇନଥିବା କହିଛନ୍ତି ଗଡକରୀ। ଭାରତ ସରକାର ମଧ୍ୟ ଗୁରୁତର ସଂକଟର ସମ୍ମୁଖୀନ ହୋଇଛନ୍ତି। ଆମର ଜିଡିପି ୨୦୦ ଲକ୍ଷ କୋଟିର, ହେଲେ କରୋନା ସଂକଟ ରାଜସ୍ୱ ଆୟ ହ୍ରାସ କରିଛି।

ଚଳିତବର୍ଷ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ ହ୍ରାସ ହେବ ବୋଲି ଗଡକରୀ କହିଛନ୍ତି। ତେବେ ଆମେ କରୋନା ଯୁଦ୍ଧରେନିଶ୍ଚିତ ଜିତିବା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହେଲେ ଏଥିପାଇଁ ଆମକୁ କିପରି ଜୀବନ ବଞ୍ଚିବାକୁ ପଡିବ ତାହା ଶିଖିବାକୁ ହେବ ବୋଲି କହିଛନ୍ତି।  ଏହି ଅବସରରେ ଗଡକରୀ ଶିବରାଜ ସିଂହ ଚୌହାନଙ୍କ ମହତ୍ୱାକାଙକ୍ଷୀ ଚମ୍ବଲ ଏକ୍ସପ୍ରେସ୍ ୱେକୁ ସବୁଜ ସଂକେତ ଦେଇଛନ୍ତି। ଏହି ସଡକ ନିର୍ମାଣ ହେଲେ ସମ୍ପୃକ୍ତ କ୍ଷେତ୍ରର ୧ ଲକ୍ଷ ଯୁବକଙ୍କୁ ରୋଜଗାରର ସୁଯୋଗ ମିଳିବ ବୋଲି ଶିବରାଜ କହିଥିବାର ଗଡକରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.