କରୋନା ଯୁଦ୍ଧ: ୧୪ ଦିନ ‘ବନବାସ’ ଲୋଡା, ପ୍ରଭୁ ଆମକୁ ସାହସ, ଶକ୍ତି ଓ ବିଶ୍ବାସ ଦିଅନ୍ତୁ

Published By : Prameya-News7 Bureau | April 02, 2020 IST

ଭୁବନେଶ୍ବର୨/୪: କଠିନ ସମୟର ମୁକାବିଲା ପାଇଁ ଆମକୁ କିଛି ଛାଡିବାକୁ ହେବ। କିଛି ସୁଖ ଓ ସ୍ବାଚ୍ଛନ୍ଦକୁ ତ୍ୟାଗ କରି ଆମକୁ ଗମ୍ଭୀର ପରିସ୍ଥିତିର ମୁକାବିଲା କରିବାକୁ ପଡିବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଆମକୁ ଜୀବନ ସଂଗ୍ରାମ ପାଇଁ ଦେଉଥିବା ମନ୍ତ୍ରକୁ ଗ୍ରହଣ କଲେ ଆମେ କଠିନ ସମୟକୁ ମୁକାବିଲା କରି ପ୍ରତିହତ କରି ପାରିବା। କରୋନା ମୁକାବିଲା ଅଭିଯାନ ନେଇ ବକ୍ତବ୍ୟ ରଖିବା ବେଳେ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର ମୁଖପାତ୍ର ସୁବ୍ରତ ବାଗଚୀ ଏପରି କିଛି ଆହ୍ବାନ କରିଛନ୍ତି। ଜାରି ରହିଥିବା ଲକଡାଉନ୍ ନୀୟମକୁ ପାଳନ କରିବାକୁ ପୁଣିଥରେ ନିବେଦନ କରିବାବେଳେ ଆଗାମୀ ୧୪ ଦିନ ବନବାସ ପାଳନ କରିବାକୁ ଆହ୍ବାନ କରିଛନ୍ତି। ପବିତ୍ର ରାମ ନବମୀ ଅବସରରେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରିବା ସହ ଆମକୁ ସାହସ, ଶକ୍ତି ଓ ବିଶ୍ବାସ ଦେବା ଲାଗି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ​‌ସେ ବେଶ ସରଳ ଓ ସାବଲୀଳ ଢ଼ଙ୍ଗରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଦୈନନ୍ଦିନ ତଥା ପାରମ୍ପରିକ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କରୋନା ଜନିତ ସଦ୍ୟତମ ତଥ୍ୟ ଲେଖିଛନ୍ତି। ଶ୍ରୀ ବାଗଚୀ କହିଛନ୍ତି, ବର୍ତ୍ତମାନ ବିଶ୍ବର ୨୦୩ ଦେଶ କରୋନା ସଂକ୍ରମିତ ହୋଇଛି। ଗତକାଲି ସାରା ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା​‌ ୮ ଲକ୍ଷ ୬୨ ହଜାର ୪୯୫ ଥିବା ବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ତାହା ୯ ଲକ୍ଷ ୩୭ ହଜାର ୯୭୬ ପହଞ୍ଚିଛି। ସେହିଭଳି ମୃତକଙ୍କ ସଂଖ୍ୟା ଗତକାଲି ୪୨ ହଜାର ୫୧୦ ଥିବା ବେଳେ ଆଜି ତାହା ୪୭ ହଜାର ୨୮୯କୁ ବୃଦ୍ଧି ପାଇଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଗୁରୁବାର ଅପରାହ୍ନ ସୁଦ୍ଧା ଦେଶ​‌ରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାର ୯୬୫ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି।

ରାଜ୍ୟରେ ଗତ ରାତିରେ ପଞ୍ଚମ କରୋନା ସଂକ୍ରମିତ ରୋଗୀଙ୍କ ଚିହ୍ନଟ ହୋଇଛି। ତେ​ବେ​‌ ଆଜି ସୁଦ୍ଧା ପରୀକ୍ଷଣ ହୋଇଥିବା ୯୦୦ ନମୁନାରୁ ୫ଟି ପଜିଟିଭ ଆସିଛି। ପ୍ରଥମ ଓ ଦ୍ବିତୀୟ ସଂକ୍ରମିତଙ୍କ ସହ ୫୫ ଜଣ, ତୃତୀୟ ସଂକ୍ରମିତଙ୍କ ସହ ୧୧୨ ଜଣ, ଚତୁର୍ଥ ସଂକ୍ରମଣଙ୍କ ସହ ୩୩ ଜଣ ସଂସ୍ପର୍ଶରେ ଆସିଥିବା ବେଳେ ପଞ୍ଚମ ସଂକ୍ରମିତଙ୍କ ସହ ୨୧ ଜଣ ସଂସ୍ପର୍ଶରେ ଆସିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରାକିଂରୁ ଜଣା ଯାଇଛି।

କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିଲେ ବି ତାହାକୁ ଅତି ଭୟ କରିବାର ଆବଶ୍ୟକତା ନାହିଁ। ଲକଡାଉନ ନିୟମ ମାନିବା ସହ ଘରୁ ଯଥା ସମ୍ଭବ ନ ବାହାରିବା ସାମାଜିକ ଦୂରତା ନିୟମ ପାଳନ କରିବା ଦ୍ବାରା କରୋନାକୁ ମୁକାବିଲା କରି ପାରିବା  ବୋଲି ଶ୍ରୀ ବାଗଚୀ ଦୃଢ଼ତା ସହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.