ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା: ଜୋରଦାର ହେବ ଧରପଗଡ଼, ନିୟମ ନମାନିଲେ ଗଣିବାକୁ ହେବ ତଣ୍ଡ

Published By : Prameya-News7 Bureau | February 22, 2021 IST

ଭୁବନେଶ୍ୱର ୨୨।୦୨:  ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା । ଜୋରଦାର ହେବ ଧରପଗଡ଼ । କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଛି । ତେଣୁ ରାଜଧାନୀରେ ପୋଲିସ ଏବଂ ବିଏମସି କଠୋର ହେଲାଣି । ଆଉ ଢିଲାପଣ ଚଳିବନି । ଅମାନିଆଙ୍କ ଉପରେ ନଜର ରଖାଯିବ । ନିୟମ ନମାନିଲେ ଗଣିବାକୁ ପଡ଼ିବ ତଣ୍ଡ ।

ମହାରାଷ୍ଟ୍ରଠୁ ଆରମ୍ଭ କରି କେରଳରେ କୋଭିଡ କେସ୍ ବଢ଼ିଲାଣି । ପଡ଼ୋଶୀ ଛତିଶଗଡ଼ରେ ବି ସଂକ୍ରମଣ ଉପରମୁହାଁ । ତେଣୁ ଭୁବନେଶ୍ବର ମହାନଗର ନିଗମ ଏବଂ ପୋଲିସ ତତ୍ପର ହୋଇ ଉଠିଛି। ମାସ୍କ ଥୋଡ଼ରେ କି କାନରେ ଝୁଲେଇଲେ ନିସ୍ତାର ନାହିଁ । ମାଡ଼ିବସିବ ପୋଲିସ । ହାଟ, ବଜାର, ସପିଂ କମ୍ପଲେକ୍ସ, ମଲ୍ ସବୁଠି କଡ଼ାକଡ଼ି ଯାଞ୍ଚ ହେବ । ଜୋନାଲ ଡେପୁଟି କମିଶନରମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ପୂର୍ବ ଭଳି ଏନଫୋର୍ସମେଣ୍ଟ ଟିମ୍ ରାଜଧାନୀର ଗଳିକନ୍ଦି ବୁଲିବ । ବିବାହ ମଣ୍ଡପ ଉପରେ ନଜର ରଖାଯିବ । ଏଥିପାଇଁ ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ଏନ୍ ଫୋର୍ସମେଣ୍ଟ ଟିମ୍ ଗଠନ ହୋଇଛି ।

ତେବେ କିଛି ଲୋକ କିନ୍ତୁ କୋଭିଡ କଟକଣାକୁ ଖାତିର ହିଁ କରୁନାହାନ୍ତି । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ରହୁନି । ମୁହଁରେ ନୁହଁ, ପକେଟରେ ମାସ୍କ ରହୁଛି । ସାମାଜିକ ଦୂରତା କଥା ପଚାରେ କିଏ । ମାର୍କେଟ ବିଲ୍ଡିଂର ଦୃଶ୍ୟ ଦେଖିଲେ କଟକଣା କେତେ ମାନୁଛନ୍ତି ଲୋକେ ତାହା ବାରି ହୋଇ ପଡୁଛି । ରାସ୍ତା କଡ଼ ଦୋକାନ ହେଉ କି ସପିଂ ମଲ୍ ସବୁଠି ଗରାଖଙ୍କ ଭିଡ଼ । ଠେଲା ପେଲା ଭିତରେ ଚାଲିଛି କିଣାବିକା । ମାସ୍କଟା କେବଳ ଫାଇନ ପାଇଁ ପାଖରେ ଅଛି । ପୋଲିସକୁ ଦେଖିଲେ ଧଡ଼ପଡ଼ ହେଇ ପିନ୍ଧି ପକାଉଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.