ଦକ୍ଷିଣରେ ବ୍ୟାପିଲା ୨ୟ ଲହର : ଭୟାବହ ହେଉଛି ସ୍ଥିତି, ବେଙ୍ଗାଲୁରୁରେ ଦିଲ୍ଲୀ ଭଳି ସଙ୍କଟ

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୬/୫: ଦକ୍ଷିଣ ଭାରତରେ ବିଗିଡିବାରେ ଲାଗିଛି ସ୍ଥିତି । ଗତ କିଛି ଦନ ମଧ୍ୟରେ ପୁଣିଥରେ ତୀବ୍ର ଗତିରେ ବ୍ୟାପିଲାଣି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ, ଦକ୍ଷିଣ ଭାରତର କେବଳ ୪ଟି ରାଜ୍ୟରୁ ୧ ଲକ୍ଷ ୩୭ ହଜାର ୫୭୯ ନୂଆ ମାମଲା ବାହାରିଛି । ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନଙ୍କ ଅନୁଯାୟୀ ଆଗାମୀ ଦିନରେ ସାରା ଦେଶରେ ପ୍ରବାହିତ ହେବ କରୋନାର ତୃତୀୟ ଲହର ।

ଫଳରେ ଆହୁରି ସଂଗୀନ ହେବ ଜୀବନଶୈଳୀ । କେବେ ଆସିବ ଏବଂ ଏହା କେତେ ବିପଜ୍ଜନକ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ଆମକୁ ନୂଆ ଲହର ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଏହି ସମୟରେ ଗତ ସପ୍ତାହରେ ଦକ୍ଷିଣ ଭାରତରେ ସ୍ଥିତି ସୁଧାର ଥିବାବେଳେ ଏବେ ପୁଣି ତୀବ୍ର ହୋଇଛି ୨ୟ ଲହର । ଯାହାକୁ ନେଇ ଚିନ୍ତା ବଢିଛି ।
କର୍ଣ୍ଣାଟକରେ ଦୈନିକ ୫୦ ହଜାରରୁ ଅଧିକ ମାମଲା
କର୍ଣ୍ଣାଟକର ଅବସ୍ଥା ଖରାପ ଆଡକୁ ଗତି କରିଛି । ଯେଉଁଠାରେ ଦୈନିକ ୫୦ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି । ଗତ ବର୍ଷ ମହାମାରୀ ଆରମ୍ଭରୁ କର୍ଣ୍ଣାଟକରେ ବୁଧବାର ଦିନ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ଏବଂ ମୃତ୍ୟୁ ରେକର୍ଡ କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୫୦,୧୧୨ ନୂତନ କରୋନା ମାମଲା ପଞ୍ଜୀକୃତ ହୋଇଛି । ଏହା ବ୍ୟତୀତ ୨୬,୮୪୧ ରୋଗୀ କରୋନାରୁ ଉଦ୍ଧାର ହୋଇଥିବାବେଳେ ୩୪୬ ଜଣଙ୍କ ମୃତ୍ୟୁ ହୋଇଛି ।
ବେଙ୍ଗାଲୁରୁରେ କରୋନାଙ୍କ ନୂଆ ରେକର୍ଡ
ବେଙ୍ଗାଲୁରୁରେ ବର୍ତ୍ତମାନ କରୋନା ବିସ୍ଫୋରଣ ଦେଖିବାକୁ ମିଳୁଛି । ଯଦି ଆପଣ ପରିସଂଖ୍ୟାନକୁ ଦେଖନ୍ତି, ତେବେ ଏହି ସହରର ଅବସ୍ଥା ମଧ୍ୟ ଦିଲ୍ଲୀ ପରି ନଜର ଆସିଛି । ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁ ହେଉଛି ଦେଶର ପ୍ରଥମ ସହର ଯେଉଁଠାରେ ଗୋଟିଏ ଦିନରେ ଏତେ କେସ୍ ବାହାରିଛି । ଏଥିସହ କର୍ଣ୍ଣାଟକର ହବଲିରେ ଅମ୍ଳଜାନ ଅଭାବରୁ ୫ ରୋଗୀଙ୍କ ମୃତ୍ୟୁ ଘଟିଛି । କର୍ଣ୍ଣାଟକରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭ ଲକ୍ଷ ୪୧ ହଜାର ୦୪୬କୁ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ୪ ଲକ୍ଷ ୮୭ ହଜାର ୨୮୮ ରୋଗୀ ଚିକିତ୍ସିତ ଥିବାବେଳେ ଏଯାବତ୍ଏ ସୁସ୍ଥ ହେଲେଣି ୧୨ ଲକ୍ଷ ୩୬ ହଜାର ସଂକ୍ରମିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.