ବସ୍ତିରେ କାୟା ମେଲାଇଲାଣି କରୋନା, ୪ ଦିନରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | August 05, 2020 IST

ଭୁବନେଶ୍ୱର ୦୫।୦୮ : ପୁଣି ଡରେଇଲାଣି ବସ୍ତି ସଂକ୍ରମଣ । ଶିରିପୁର କନ୍ଧ ସାହି ବସ୍ତିରେ ପଶିଛି କରୋନା । ଦିନକରେ ଏଠାରୁ ୧୪ଜଣ ସଂକ୍ରମିତ ବାହାରିଛନ୍ତି । ଏହାକୁ ନେଇ ବସ୍ତିରେ ଛନକା ପଶିଯାଇଛି । ଆଖପାଖ ଲୋକେ ବି ଭୟଭୀତ ଅଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଥମୁନି । ଭୁବନେଶ୍ୱରରେ ବି କରୋନା ସଂକ୍ରମଣ କମୁନି । ଭୁବନେଶ୍ୱରରୁ ୧୪୯ଜଣ ପଜିଟିଭ୍‌ ବାହାରିଛନ୍ତି । ଏଥିରୁ ବସ୍ତି ସଂକ୍ରମିତଙ୍କ ସଂଖ୍ୟା ୩୬ । ଶିରିପୁର କନ୍ଧ ସାହିରୁ ଗତ ୨୪ ଘଣ୍ଟାରେ ୧୪ଜଣ ପଜିଟିଭ୍‌ ଥିବାବେଳେ ସାଲିଆସାହିରୁ ବି ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାବାଦ୍‌ ଖଣ୍ଡଗିରି ତପୋବନ ବସ୍ତିରୁ ୩ଜଣ, ଜୟଦେବବିହାର ଅଞ୍ଚଳର ଏକ ବସ୍ତିରୁ ୨ଜଣ, ବିଶେଶ୍ୱର ବସ୍ତିରୁ ଜଣେ ପଜିଟିଭ୍‌ ବାହାରିଛନ୍ତି । ଇସ୍କନ ପାଖ ବସ୍ତିରୁ ୨ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜୁଲାଇରେ ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଥିଲା । ଯଦିଓ ଅଗଷ୍ଟରେ ଏଯାବତ୍‌ ସେଭଳି ଦ୍ରୁତ ହାରରେ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି, ତଥାପି ବସ୍ତିକୁ ନେଇ ଡର ଘାରିଲାଣି । ଅଗଷ୍ଟ ମାସର ପ୍ରଥମ ୪ ଦିନ ଭିତରେ ରାଜଧାନୀର ବିଭିନ୍ନ ବସ୍ତିରୁ ୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ଜୁଲାଇ ଶେଷ ପର୍ଯ୍ୟନ୍ତ ଯେଉଁ ସବୁ ବସ୍ତିକୁ କରୋନା ପଶିନଥିଲା, ଏବେ ସେଠାରୁ କରୋନା ପଜିଟିଭ ବାହାରିଲେଣି । କେତେକ ବସ୍ତିରେ କରୋନା ପୂର୍ବାପେକ୍ଷା ଅଧିକ ବ୍ୟାପିବାରେ ଲାଗିଛି । ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ଗତକାଲି ୩ଜଣ ସଂକ୍ରମିତ ବାହାରିଥିଲେ । ଗୌତମନଗର ବସ୍ତିରୁ ବି ୫ଜଣ ପଜିଟିଭ୍‌ ବାହାରିଥିଲେ । କ୍ୟାପିଟାଲ ହସ୍ପିଟାଲ ପାଖ ରାଧାକୃଷ୍ଣ ବସ୍ତିରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଲିଆସାହିରୁ ନିୟମିତ ପଜିଟିଭ୍‌ ବାହାରୁଥିବାବେଳେ ତାରିଣୀ ବସ୍ତିରୁ ଗତ ୧ ତାରିଖରେ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଯାବତ୍‌ ବସ୍ତିରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । କିନ୍ତୁ, ଲକ୍‌ଡାଉନ କୋହଳ ହେବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା ଘାରିଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ବସ୍ତି ଉପରେ ବିଶେଷ ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.