କରୋନା କବଳରେ ରାଜ୍ୟର ୨୮ ଜିଲ୍ଲା: ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୩୫, ସୁସ୍ଥ ହେଲେଣି ୫୫୦
24/05/2020 at 7:10 PM

ଭୁବନେଶ୍ୱର, ୨୪|୦୫: ରାୟଗଡ଼ା ଓ ସୋନପୁରକୁ ଛାଡ଼ି ସବୁ ଜିଲ୍ଲାକୁ ଛୁଇଁଲା କରୋନା । ନୂଆପଡ଼ା ଓ ବରଗଡ଼ ଜିଲ୍ଲା ଆଜି ତାଲିକାରେ ସାମିଲ ହୋଇଛି । ଆଜି ୬୬ ଆକ୍ରାନ୍ତ ଚିହ୍ନଟ ସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୩ ଶହ ୩୫ରେ । ସେପଟେ ଗତ ତିନି ଦିନରେ ୨୦ ହଜାର କୋଭିଡ୍-୧୯ ଚିହ୍ନଟ ସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ଟପିଛି । ବଲିଉଡ୍ ସିଙ୍ଗର କନିକା କପୁର, ପ୍ରଡ୍ୟୁସର କରିମ ମୋରାନୀଙ୍କ ପରେ ଆକ୍ଟର କିରନ କୁମାର କରୋନା ଆକ୍ରାନ୍ତ ହୋଇଛନ୍ତି।

ତିନି ଦିନରେ ୨୦ ହଜାର ଆକ୍ରାନ୍ତ । ଦେଶରେ ଗତ ତିନି ଦିନରେ ୨୦ ହଜାର କୋଭିଡ-୧୯ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୬ ହଜାର ୬୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଣ୍ଟା ଭିତରେ ୧୪୭ ଜଣଙ୍କ ମୃତ୍ୟୁ ସହ କରୋନାରେ ମୋଟ୍ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୩ ହଜାର ୮୬୭ରେ । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛନ୍ତି। ଏବେ ସିଏପିଏଫରେ ୧୧୮୦ ଜଣ ଆକ୍ରାନ୍ତ ବାହାରିଲେଣି। ସେପଟେ ବଲିଉଡ୍ ଆକ୍ଟର କିରନ କୁମାର କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ସେ ଘରେ ସେଲ୍ଫ ଆଇସୋଲେସନରେ ଅଛନ୍ତି।

ଏପଟେ ରାଜ୍ୟରେ ଆଜି ଆଉ ୬୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧୩ ଶହ ୩୫ରେ । ଆଜି ପୁରୀରୁ ୧୬, ନୟାଗଡରୁ ୧୩, ଗଞ୍ଜାମରୁ ୮, ବଲାଙ୍ଗୀରରୁ ୭, ଅନୁଗୋଳରୁ ୫, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ ୨, ଖୋର୍ଦ୍ଧାରୁ ୩, କଟକରୁ ୨ ଏବଂ ମାଲକାନଗିରିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଜଗତସିଂହପୁର ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଆଜି ତାଲିକାରେ ନୂଆପଡା ଓ ବରଗଡ଼ ଜିଲ୍ଲା ସାମିଲ ହୋଇଛି । ଏଠାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Latest update on #COVID19 in #Odisha: As on 23rd May, Midnight, 123834 samples have been tested & 1335 cases have been tested positive. For any health assistance, call 104 Health Helpline. #coronavirus #OdishaFightsCorona pic.twitter.com/weNWD7NZou
— H & FW Dept Odisha (@HFWOdisha) May 24, 2020
ଓଡ଼ିଶାରେ କରୋନା ପଜିଟିଙ୍କ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଅନେକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଆଜି ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୩୦, ଯାଜପୁର ୧୮, ଖୋର୍ଦ୍ଧାରୁ ୩ ଏବଂ କେନ୍ଦୁଝରରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଆଜିର ୫୩ ଜଣଙ୍କୁ ମିଶାଇ ଏବେ ସୁଦ୍ଧା ୫୫୦ ଜଣ ସୁସ୍ଥ ହୋଇସାରିଲେଣି ।