Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ରାଜଧାନୀରେ ସ୍ଥିତି ସାଂଘାତିକ : ୧୮ ଦିନରେ ୮୧୦ ପଜିଟିଭ୍‌, ୧୧ନୂଆ ହଟ୍‌ସ୍ପଟ୍‌

19/07/2020 at 9:05 AM

ଭୁବନେଶ୍ୱର ୧୯।୦୭: ଜୁଲାଇରେ ସାଂଘାତିକ ହେଲାଣି ଭୁବନେଶ୍ୱରର ସ୍ଥିତି । ୧୮ ଦିନରେ ୮୧୦ ପଜିଟିଭ୍‌ ବାହାରିଲେଣି । ଗତ ସାଢ଼େ ୩ ମାସରେ ରାଜଧାନୀରୁ ଯେତିକି ସଂକ୍ରମିତ ବାହାରିଥିଲେ, ତା’ର ଅଢ଼େଇ ଗୁଣାରୁ ଅଧିକ ସଂକ୍ରମିତ ଜୁଲାଇର ୧୮ ଦିନରେ ଚିହ୍ନଟ ହେଲେଣି । ଜୁଲାଇ ସରିବାକୁ ଆହୁରି ୧୩ ଦିନ ବାକି । କିନ୍ତୁ, ଜୁଲାଇର ଭୟାବହତା ଛାତି ଧଡ଼ଧଡ଼ କଲାଣି । ହୋସ୍‌ ଉଡ଼ାଇ ଦେଲାଣି ରାଜଧାନୀର ୧୧ଟି ଅଞ୍ଚଳର ଆକ୍ରାନ୍ତ ସଂଖ୍ୟା । ଯାହାକି ଜୁଲାଇରେ ପାଲଟିଛି ନୂଆ ହଟ୍‌ସ୍ପଟ୍‌ । ରସୁଲଗଡ଼ରୁ ଖଣ୍ଡଗିରି, ଲକ୍ଷ୍ମୀସାଗରରୁ ପଟିଆ, ନୂଆଗାଁରୁ ନୂଆପଲ୍ଲୀ ଭିତରେ ରହିଛି ଏହି ବହୁଳ ସଂକ୍ରମିତ ଇଲାକା । ଏସବୁ ଅଞ୍ଚଳରେ ୨୦ରୁ ଅଧିକ ଲେଖାଏଁ ପଜିଟିଭ୍‌ ବାହାରିଛନ୍ତି ଶେଷ ୧୮ ଦିନ ଭିତରେ । ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଶାସନର ହୋସ୍‌ ଉଡ଼ାଇ ଦେଇଛି ।

ସବୁଠୁ ବେଶି ଚିନ୍ତା ବଢ଼ାଇଛି ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ନୂଆପଲ୍ଲୀ । ନୂଆପଲ୍ଲୀ ଗାଁ ଓ କଲୋନି ଏରିଆରୁ ଜୁଲାଇରେ ଏଯାବତ୍‌ ୫୧ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯଦି ନୂଆପଲ୍ଲୀରେ ଥିବା ବସ୍ତିକୁ ହିସାବକୁ ନିଆଯିବ, ପଜିଟିଭ୍‌ ସଂଖ୍ୟା ୭୫ ଛୁଇଁଯିବ । ଏଥିରୁ ଅନୁମାନ କରାଯାଇପାରେ, ନୂଆପଲ୍ଲୀରେ କରୋନା କିଭଳି ମାଡ଼ିଗଲାଣି । ବେହେରା ସାହି ହେଉ କି ନୂଆସାହି, ତ୍ରିନାଥ ବସ୍ତି ବା ସୀତାପୁର ବସ୍ତି… ସବୁଠି ମାଳମାଳ କରୋନା ସଂକ୍ରମିତ।

ଲକ୍ଷ୍ମୀସାଗର ଇଲାକା ଏବେ କରୋନା ପ୍ରବଣ ପାଲଟିଛି । ଲକ୍ଷ୍ମୀସାଗର ସମେତ ଏହାକୁ ଲାଗିଥିବା ଅଞ୍ଚଳରେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଇ ୧୮ ଦିନରେ ୩୯ ଆକ୍ରାନ୍ତ ଚିହ୍ନଟ ହେଲେଣି । ଖଣ୍ଡଗିରି ଓ ଏହାର ପାଶ୍ୱର୍ବର୍ତ୍ତୀ ଆଇଗିଣିଆ, ପାତ୍ରପଡ଼ା ଓ କୋଳଥିଆ ଅଞ୍ଚଳ କରୋନା ଗଡ଼ ପାଲଟିଛି । ଏଠାରୁ ନିୟମିତ ପଜିଟିଭ୍‌ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍‌ ୪୧ ଆକ୍ରାନ୍ତ ଚିହ୍ନଟ ହେଲେଣି । ରସୁଲଗଡ଼ ଓ ଏହାର ପାଶ୍ୱର୍ବର୍ତ୍ତୀ, ବମିଖାଲ, ପଳାଶୁଣି ଓ କଟକରୋଡ୍‌ ଅଞ୍ଚଳରେ କରୋନା ଦ୍ରୁତ ହାରରେ ମାଡ଼ି ଚାଲିଛି । ଏ ସବୁ ଇଲାକାରୁ ୩୪ଜଣ ପଜିଟିଭ୍‌ ବାହାରଲେଣି ଏଇ ଜୁଲାଇରେ । ମାସ ସରିଲାବେଳକୁ ଚିତ୍ର ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି ।

ଜୁନ୍‌ ଭଳି ଜୁଲାଇରେ କରୋନା ବ୍ୟାପିବାରେ ଲାଗିଛି ମଞ୍ଚେଶ୍ୱର ଇଲାକାରେ । ଏଯାବତ୍‌ ୩୩ ପଜିଟିଭ୍‌ ଚିହ୍ନଟ ହେଲେଣି। ଡୁମୁଡୁମା ଲଗାତାର କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଜୁନ୍‌ରେ ଏ ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ବାହାରିଥିଲେ । ଜୁଲାଇରେ ବି ଥମୁନି । ୨୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇ ପହିଲାରୁ ଆଜି ଯାଏଁ । ନୂଆଗାଁ ଭଳି ଗୋଟିଏ ଛୋଟ ଅଞ୍ଚଳରୁ ଜୁଲାଇର ୧୮ ଦିନରେ ୨୫ଜଣ ଆକ୍ରାନ୍ତ ବାହାରିଛନ୍ତି । ପ୍ରଥମେ ଗୋଟିଏ ପରିବାରର ବାପ, ପୁଅ କରୋନା ପଜିଟିଭ୍‌ ବାହାରିବା ପରେ କ୍ରମଶଃ ଗାଁରେ କରୋନା ବ୍ୟାପିବାରେ ଲାଗିଛି ।

ପୁରୁଣା ଭୁବନେଶ୍ୱର ଓ ଏହାର ପାଖାପାଖି ଅଞ୍ଚଳକୁ ବିଳମ୍ବରେ ପଶିଥିଲା କରୋନା । ମାତ୍ର ଏବେ ସ୍ଥିତି ଚିନ୍ତାଜନକ । ନିୟମିତ ଏସବୁ ଇଲାକାରୁ ଆକ୍ରାନ୍ତ ବାହାରୁଛନ୍ତି । ଚଳିତ ଜୁଲାଇରେ ଏଯାବତ୍‌ ୨୪ଜଣ ପଜିଟିଭ୍‌ ଚିହ୍ନଟ ବାହାରିଲେଣି।
ରାଜଧାନୀର ବରମୁଣ୍ଡା ଅଞ୍ଚଳରୁ ପୂର୍ବରୁ ବିଶେଷ ଆକ୍ରାନ୍ତ ବାହାରୁନଥିଲେ । ଏବେ ସ୍ଥିତି ବିଗିଡ଼ଲାଣି । ୧୮ ଦିନ ଭିତରେ ୨୧ଜଣ ପଜିଟିଭ୍‌ ବାହାରିଛନ୍ତି ବରମୁଣ୍ଡା ଇଲାକାରୁ । ଏଥିରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଭରତପୁର, ଘାଟିକିଆ ଓ ଶ୍ୟାମପୁର ଅଞ୍ଚଳରୁ ୨୦ଜଣ ଆକ୍ରାନ୍ତ ବାହାରିଛନ୍ତି ଜୁଲାଇ ପହିଲାରୁ ଆଜି ଯାଏଁ । ଏସବୁ ଇଲାକାରେ ଥିବା ବସ୍ତି ଆକ୍ରାନ୍ତଙ୍କୁ ମିଶାଇଲେ ଏହି ସଂଖ୍ୟା ଢେର ଅଧିକ ।

ପଟିଆର କାନନବିହାର ସମେତ ବିଭିନ୍ନ ଅଞ୍ଚଳରୁ ଏଇ କିଛିଦିନ ଭିତରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିଲେଣି । ୨୦ଜଣ ପଜିଟିଭ୍‌ ବାହାରିଛନ୍ତି ଚଳିତ ଜୁଲାଇରେ । ପାଖ ଡମଣାରୁ ବି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗତ କିଛିଦିନ ଭିତରେ । ଏହାବାଦ୍‌ ହଂସପାଳ ଓ ପାହାଳ ଇଲାକାକୁ ବି ବ୍ୟାପିଗଲାଣି କରୋନା । ଏସବୁ ଅଞ୍ଚଳରେ ଅଚାନକ ଆକ୍ରାନ୍ତ ସଂଖ୍ୟା ବଢ଼ିଛି । ଏଇ କିଛି ଦିନ ଭିତରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ ହେଲାଣି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜୁଲାଇରେ ଏଯାଏଁ ୧୮ଜଣ ପଜିଟିଭ୍‌ ବାହାରିଲେଣି । ଏହି ସମୟ ଭିତରେ ପାଖ ଶୈଳଶ୍ରୀବିହାରରୁ ୧୦, ନିଳାଦ୍ରିବିହାରରୁ ୮, ମୈତ୍ରୀବିହାରରୁ ୩ଜଣ ପଜିଟିଭ୍‌ ବାହାରିଛନ୍ତି । ଅର୍ଥାତ୍‌ ଏ ଇଲାକା ବି ଆଉ ସୁରକ୍ଷିତ ହୋଇ ରହିନି ।

ଟଙ୍କପାଣି, ରବିଟକିଜ ଓ ବ୍ରହ୍ମେଶ୍ୱରପାଟଣା ଅଞ୍ଚଳରୁ ୧୯ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ଜୁଲାଇରେ । ଏଠାରେ ଯେଉଁଭଳି ସଂକ୍ରମଣ ବଢୁଛି, ସ୍ଥାନୀୟ ଅଞ୍ଚଳରେ ଛନକା ପଶିଗଲାଣି । ପାଖ ବଡ଼ଗଡ଼ ଓ ବିଜେବିନଗର ଇଲାକାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୟୁନିଟ-୬ ଓ ଗଙ୍ଗନଗରରେ ସଂକ୍ରମଣ ମାଡ଼ିବାରେ ଲାଗିଛି । ଗତ କିଛିଦିନ ଭିତରେ ୧୫ଜଣ କରୋନା ରୋଗୀ ବାହାରିଲେଣି ଏ ଅଞ୍ଚଳରୁ । ଏହାବାଦ୍‌ ଝାରପଡ଼ାରୁ ୧୦, କଳିଙ୍ଗନଗରରୁ ୧୦, କଳିଙ୍ଗବିହାରରୁ ୧୦, ଆଚାର୍ଯ୍ୟବିହାରରୁ ୧୦, ୟୁନିଟ୍‌-୪ରୁ ୧୦, ୟୁନିଟ୍‌-୯ ଅଞ୍ଚଳରୁ ୯ଜଣ କରୋନା ସଂକ୍ରମିତ ହୋଇଛନ୍ତି ଚଳିତ ଜୁଲାଇରେ ।ରାଜଧାନୀର ବସ୍ତି ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ୩୧ଟି ବସ୍ତିରୁ ୮୧ଜଣ ସଂକ୍ରମିତ ହେଲେଣି ଏଇ ୧୮ ଦିନ ଭିତରେ ।

ଜୁନ୍‌ ୩୦ରେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୨୦ ଥିଲା । ମୃତ୍ୟୁ ସଂଖ୍ୟା ଥିଲା ୪ । ସକ୍ରିୟ ଆକ୍ରାନ୍ତ (ଆକ୍ଟିଭ୍‌ କେସ୍‌) ସଂଖ୍ୟା ୧୩୦ ରହିଥିଲା । ହେଲେ ଜୁଲାଇର ୧୮ ଦିନ ଭିତରେ କରୋନା ପୂରା ଉପରମୁହାଁ ହୋଇଯାଇଛି । ଆଜିର ରିପୋର୍ଟ କହୁଛି, ରାଜଧାନୀରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୩୦ । ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବାବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬୨୪ । କରୋନାର ଏଭଳି ଉପରମୁହାଁ ହାରରେ ରୋକ୍‌ ନ ଲାଗିଲେ, ଜୁଲାଇ ଶେଷବେଳକୁ ରାଜଧାନୀ ସ୍ଥିତି ଭୟାନକ ହେବା ଆଶଙ୍କା ବଢ଼ିଛି । ଏପରିକି ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିପାରେ ବୋଲି ବିଶେଷଜ୍ଞ ଆଶଙ୍କା କଲେଣି ।

   Related Posts