ବସ୍ତି ପାଇଁ ବଢୁଛି ଡ଼ର : ୧୯ଦିନରେ ୮୫ ସଂକ୍ରମିତ, ୩୫ ସ୍ଥାନରେ କରୋନା ହେଲାଣି ବିପଦ

Published By : Prameya-News7 Bureau | July 20, 2020 IST

ଭୁବନେଶ୍ୱର ୨୦।୦୭: କରୋନାର ପ୍ରକୋପ ଦିନକୁ ଦିନ ବଢିଚାଲିଛି । ଜୁଲାଇ ମାସ ଭୁବନେଶ୍ୱରକୁ କନ୍ଦାଇ ସାରିଲାଣି । ମାସ ପୂରିନି କିନ୍ତୁ ୧୯ ଦିନ ଭିତରେ ଆକ୍ରାନ୍ତ ସଂଖ୍ୟା ୮୨୬ରେ ଛୁଇଁଲାଣି । ସଂକ୍ରମଣ ପାଣି ସୁଅ ଭଳି ମାଡ଼ି ଚାଲିଛି । ଖାଲି ନୂଆପଲ୍ଲୀ, ଲକ୍ଷ୍ମୀସାଗର, ନୂଆଗାଁ କି ଡୁମୁଡୁମା ନୁହେଁ, ସବୁଠୁ ସମ୍ବେଦନଶୀଳ ବସ୍ତି ଅଞ୍ଚଳକୁ ଭୂତାଣୁ ମାଡ଼ିଛିି । ବସ୍ତିରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ। ହେଲେ ଚିନ୍ତାର ବିଷୟ, ଏହି ମାସ ଭିତରେ ୩୫ବସ୍ତିକୁ କରୋନା କବ୍‌ଜାକୁ ନେଇଛି । ଏଠାରେ ୮୫ ସଂକ୍ରମିତ ଠାବ ହେଲେଣି।

ଏ ମାସ ଭିତରେ ତିନି ବସ୍ତିରେ ସବୁଠୁ ଅଧିକ ସଂକ୍ରମିତ ଧରା ପଡ଼ିଛନ୍ତି । ସାଲିଆ ସାହିରୁ ସର୍ବାଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହି ହେଉଛି ସହରର ସବୁଠୁ ବଡ଼ ବସ୍ତି । ବସ୍ତିରେ ଅଧିକାଂଶ ଶ୍ରମିକଶ୍ରେଣୀର ଲୋକେ, ସେବା ଯୋଗାଉଥିବା କ୍ଷେତ୍ରର ଲୋକେ, ଉଠାଦୋକାନୀ, ଘରୋଇ ସହାୟକ, ଡ୍ରାଇଭର, ସଫେଇ କର୍ମୀ ଭଳି ବୃତ୍ତିରେ ଥିବା ଗରିବ ଶ୍ରେଣୀର ଲୋକେ ମୁଣ୍ଡ ଗୁଞ୍ଜିଛନ୍ତି।

ଅନେକ ହଟସ୍ପଟ୍‌ ଜିଲ୍ଲାରୁ ଫେରି ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବସ୍ତିର ଅନ୍ୟମାନେ ବି ସଂକ୍ରମିତ ହୋଇଛନ୍ତି । ଆହୁରି କିଛି ବସ୍ତିବାସିନ୍ଦା ସଂକ୍ରମଣ ଆଶଙ୍କା ଅଧିକ ଥିବା ହସ୍ପିଟାଲରେ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନେ ସଂକ୍ରମିତ ହେବା ଯୋଗୁ ବସ୍ତିରେ ସଂକ୍ରମଣ ବଢୁଛି । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପରେ ସିଲ୍‌ ହୋଇଥିବା ନୂଆପଲ୍ଲୀ ତ୍ରିନାଥ ବସ୍ତିରୁ ୧୨ଜଣ ପଜିଟିଭ୍‌ ଆସିଛନ୍ତି । ସିଲ୍‌ ହୋଇଥିବା ନୂଆପଲ୍ଲୀ ସୀତାପୁର ବସ୍ତିରୁ ୧୦ ଆକ୍ରାନ୍ତ ବାହାରିଛନ୍ତି । ନୂଆପଲ୍ଲୀରେ ଆଉ ଏକ ବସ୍ତି ଗଜପତିନଗରରୁ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି।

ମଞ୍ଚେଶ୍ୱର ପାଖ ଧୀରିକୁଟ ବସ୍ତିରୁ ୨ଜଣ ଆକ୍ରାନ୍ତ ବାହାରିଛନ୍ତି । ପୂର୍ବରୁ କଣ୍ଟେନମେଣ୍ଟ ହୋଇଥିବା ଡୁମୁଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ପଜିଟିଭ୍‌ ଆସିଛନ୍ତି ।ବାପୁଜୀନଗର ଝରଣା ବସ୍ତିରୁ ଜଣେ, ୟୁନିଟ୍‌-୫ କେଶରୀନଗର ବସ୍ତିରୁ ଜଣେ, ଲକ୍ଷ୍ମୀବିହାର ବସ୍ତିରୁ ଜଣେ, ଭୀମପୁର ବସ୍ତିରୁ ଜଣେ, ଶିଖରଚଣ୍ଡୀ ବସ୍ତିରୁ ଜଣେ, ଆଚାର୍ଯ୍ୟବିହାର ବିଶେଶ୍ୱର ବସ୍ତିରୁ ଜଣେ, ଚକେଇସିଆଣୀ ହାଡବାଇ ବସ୍ତିରୁ ଜଣେ, ଭୋଇନଗର ବସ୍ତିରୁ ଜଣେ, ପାତ୍ରପଡାର ଫୁଲେଶ୍ୱର ବସ୍ତିରୁ ଜଣେ, ଟ୍ରାଇଡେଣ୍ଟ କଲେଜ ପାଖ ମହାବୀର ବସ୍ତିରୁ ଜଣେ, ହଳଦୀପଡିଆ ବସ୍ତିରୁ ଦୁଇ ଜଣ, ମହିଷାଖାଲରୁ ଜଣେ ଓ ସୂର୍ଯ୍ୟନଗର ବସ୍ତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଙ୍ଗନଗର ମଙ୍ଗଳା ବସ୍ତିରୁ ଜଣେ, ଡୁମୁଡୁମା ମା’ ମଙ୍ଗଳା ବସ୍ତିରୁ ଜଣେ, ପୋଖରୀପୁଟ କାର୍ଗିଲ୍‌ ବସ୍ତିରୁ ଜଣେ, ଆଖଣ୍ଡଳମଣୀ ବସ୍ତିରୁ ଜଣେ, ପିଚୁପଡିଆ ବସ୍ତିରୁ ଜଣେ, ୟୁନିଟ୍‌-୬ ଶବର ସାହି ବସ୍ତିରୁ ଜଣେ, ୟୁନିଟ୍‌-୬ ରାଧାକୃଷ୍ଣ ତଳ ବସ୍ତିରୁ ଜଣେ, ଭୀମଟାଙ୍ଗି ପିପୁଲସ୍‌ ବସ୍ତିରୁ ଜଣେ, ୟୁନିଟ୍‌-୭ ରାମପୁର ବସ୍ତିରୁ ଜଣେ, ଶ୍ରଦ୍ଧାପଲ୍ଲୀ ବସ୍ତିରୁ ଜଣେ, ରଘୁନାଥନଗର ବସ୍ତିରୁ ଜଣେ, ଆଚାର୍ଯ୍ୟବିହାର ସାଇନ୍ସପାର୍କ ବସ୍ତିରୁ ଜଣେ, ନୀଳାଦ୍ରିବିହାର ଇଶାନେଶ୍ୱର ବସ୍ତିରୁ ଜଣେ ଓ ଆଖଣ୍ଡଳମଣି ବସ୍ତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.