ଭଦ୍ରକର ସହରାଞ୍ଚଳରେ ସଂକ୍ରମିତ ସ୍ଥିତି ସଙ୍ଗୀନ, ଅମାନିଆଙ୍କ ଯୋଗୁଁ ଅଡୁଆ ବଢୁଛି

Published By : Prameya-News7 Bureau | August 14, 2020 IST

ଭଦ୍ରକ, ୧୪|୦୮ ଭଦ୍ରକ ଜିଲ୍ଲା ରେ ଦିନକୁ ଦିନ ବିଗୁଡୁଛି କାରୋନା ସ୍ଥିତି । ଜିଲ୍ଲାର ପ୍ରଥମ ସଂକ୍ରମିତ ଭଦ୍ରକ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଧିରେ ଧିରେ ଅନ୍ୟ ବ୍ଲକ ଓ ଗ୍ରାମାଞ୍ଚଳକୁ ବ୍ୟାପିଥିଲା । ଏବେ କିନ୍ତୁ ସ୍ଥାନୀୟ ସଂକ୍ରମିତ ଚିନ୍ତାର କାରଣ ପାଲଟିଛି । ଶୁକ୍ରବାର ରେକର୍ଡ ସଂଖ୍ୟକ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରାଞ୍ଚଳରେ କାରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ସାଜିଛି । ତେବେ  ଆସନ୍ତୁ ଜାଣିବା ଜିଲ୍ଲାର ସହରାଞ୍ଚଳରେ ପଜିଟିଭ୍ ସଂଖ୍ୟା ବୃଦ୍ଧିର କାରଣ ।

୧୨୮୦୫ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଭଦ୍ରକ ଜିଲ୍ଲା । ଜିଲ୍ଲାରେ ଗୋଟିଏ ସବଡିଭିଜନ ସହ ୭ଟି ବ୍ଲକ ରହିଛି । ଦୁଇଟି ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ଜିଲ୍ଲାର ୨୧୮ ଗ୍ରାମ ପଞ୍ଚାୟତରେ ୧୩୭୦ଟି ଗାଁ ରହିଛି । ଜିଲ୍ଲା ରେ  ୧୫ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି । ଗ୍ରାମାଞ୍ଚଳରେ ଜନସଂଖ୍ୟା ୧୩୨୦୪୯୯ ହୋଇଥିବା ବେଳେ ସହରାଞ୍ଚଳରେ ୧୮୫୮୩୮  । ଜିଲ୍ଲାରେ ପ୍ରତି ବର୍ଗ କିଲୋମିଟରରେ ବସବାସ କରୁଛନ୍ତି ୬୦୧ ଜଣ । କିନ୍ତୁ ଏବେ କାରୋନା ସଂକ୍ରମଣ ଜିଲ୍ଲାର ଅନ୍ୟ ବ୍ଲକ ଅପେକ୍ଷା ମୁଖ୍ୟାଳୟରେ ବଢିବାରେ ଲାଗିଛି । ଜିଲ୍ଲାରେ ସମୁଦାୟ ୨୯ ହଜାର ୬୫ ଟେଷ୍ଟ ହୋଇଥିବା ବେଳେ ୧୨୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୭୬ ଜଣରୁ ଅଧିକ ସୁସ୍ଥ ହୋଇ ଫେରିଛନ୍ତି ।

କୋଭିଡ ଡାସବୋର୍ଡର ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪ ଜଣଙ୍କ ମୁଣ୍ଡ ନେଇଛି କାରୋନା । ଜିଲ୍ଲାର ଭଦ୍ରକ ବ୍ଲକରେ ୧୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ପୌରାଞ୍ଚଳରେ ୧୨୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ପୋରାଞ୍ଚଳବାସୀଙ୍କ ସଂଖ୍ୟା ବଢୁଥିବା ନେଇ ନିଜେ ନିଜକୁ ଦାୟୀ କରନ୍ତି ସହରାଞ୍ଚଳବାସୀ । ପ୍ରତ୍ୟକ ଦିନ ବଜାର ଆସି କିଣାକିଣି କରିବା ସହ ଅଯଥା ଖଟି କରିବାର ଅଭ୍ୟାସ ଏବେ ବିପଦ ସୃଷ୍ଟି କରୁଛି । ଦୋକାନ ବଜାରରେ ଅଯଥା ଭିଡ କରିବା ସହ କେତାକାଂଶରେ ସରକାରୀ ନିୟମ ନ ମାନିବାର ଫଳ ବୋଲି ମଧ୍ୟ କୁହାଯାଇପାରେ ।

କିନ୍ତୁ ଗ୍ରାମାଞ୍ଚଳବାସୀ ଏବେ ଆଉ ବାହାରକୁ ବାହାରୁ ନାହାନ୍ତି । ବିଲରେ ଚାଷ କାମ ଆରମ୍ଭ ହେଲାଣି । ନିଜର ଆବଶ୍ୟକୀୟ ସାମଗ୍ରୀ ଗାଁ ନିକଟ ବଜାରରୁ ସଂଗ୍ରହ କରୁଛନ୍ତି । ଅତି ଆବଶ୍ୟକ ହେଲେ କାଁଭାଁ ଗାଁରୁ ବାହାରକୁ ଆସୁଛନ୍ତି । ଏବେ ଜିଲ୍ଲାରେ ପୂର୍ବାପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କାରଣ ଏବେ ଟେଷ୍ଟ ସଂଖ୍ୟା ମଧ୍ୟ ବଢୁଛି । ପ୍ରତ୍ୟକ ଦିନ ପ୍ରାୟ ୧୪ଶହ ରୁ ୧୫ ଶହ ଟେଷ୍ଟ କରାଯାଉଛି । । ଜିଲ୍ଲାରେ ଟେଲିମେଡ଼ିସିନ ସେବା ସହ ଫିଭର କ୍ଲିନିକ ମଧ୍ୟ କାର୍ଯ୍ୟ କରୁଛି । ଫୋନ ଯୋଗେ ଡାକ୍ତରୀ ସହାୟତା ମଧ୍ୟ ମିଳୁଛି । ଜିଲ୍ଲାର ସହରାଞ୍ଚଳର ବ୍ୟବସାୟିକ ଅନୁଷ୍ଠାନ ଓ ଛକ ବଜାର ରେ ଭ୍ରାମ୍ୟମାଣ ଟେଷ୍ଟିଙ୍ଗ ୟୁନିଟ ଟେଷ୍ଟ କରୁଛନ୍ତି । ତା ସାଙ୍ଗକୁ ଗ୍ରାମାଞ୍ଚଳ ଓ ବ୍ଲକ ଗୁଡିକ ରେ ପ୍ରତ୍ୟେକ ଦିନ ସିଏଚସି ଓ ପିଏଚସିରେ ମଧ୍ୟ କାରୋନା ଟେଷ୍ଟ କରାଯାଉଛି । ଆବଶ୍ୟକ ସ୍ଥଳେ ଜିଲ୍ଲାବାସୀ ନିକଟସ୍ଥ ଅଞ୍ଚଳରେ ଟେଷ୍ଟ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ସହରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ ଜାରି କରିଛି ପ୍ରଶାସନ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ପରିଷଦ ଅଞ୍ଚଳକୁ ୧୭ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରଯାଇଥିବା ବେଳେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ ପୌରପାଳିକା ଓ ଆଖ ପାଖ ପଞ୍ଚାୟତରେ ଦୋକାନ ବଜାରକୁ ଦିନ ୨ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମିଳିଛି । ଦିନ ୩ ପରେ ପୁଣି ସକାଳ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ବଳବତ୍ତର ରହିଛି । ସପ୍ତାହନ୍ତ ସଟଡାଉନ ଜାରି ରହିଥିବା ବେଳେ ୧୫ ଅଗଷ୍ଟ ଦିନ ସକାଳ ୧୧ ପର୍ଯ୍ୟନ୍ତ କଟକଣାକୁ କୋହଳ କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.