ଡରାଉଛି କରୋନା , ବସ୍ତି ଅପେକ୍ଷା ଏବେ ଅଣବସ୍ତିରେ ଅଧିକ ଟେନ୍‌ସନ୍‌

Published By : Prameya-News7 Bureau | July 26, 2020 IST

ଭୁବନେଶ୍ୱର ୨୬।୦୭: ଚାରିଆଡେ କରୋନା ଭୟ । ଖାସ୍‌ କରି ରାଜଧାନୀର ବିଭିନ୍ନ ଗଳି କନ୍ଦିରୁ ଏବେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକି ପ୍ରଶାସନର ନିଦ ହଜାଇଦେଲାଣି । ତେବେ ଭୁବନେଶ୍ୱରରେ ପ୍ରଥମ ବସ୍ତିରୁ ସଂକ୍ରମିତ ଚିହ୍ନଟ , ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । କିନ୍ତୁ ଏବେ ବସ୍ତିଠୁ ବେଶି ଆକ୍ରାନ୍ତ ହେଲାଣି କଲୋନି । ମାଳମାଳ କରୋନା ପଜିଟିଭ୍‌ ବାହାରିଛନ୍ତି ରାଜଧାନୀର ବିଭିନ୍ନ କଲୋନି, କ୍ୱାର୍ଟସ ଓ ଗାଁ ଇଲାକାରୁ । ଏକଥା କହିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ରାଜଧାନୀରୁ ଆଜି ଯାଏଁ ୧୮୨୮ କରୋନା ଆକ୍ରାନ୍ତ ବାହାରିଛନ୍ତି । ସେଥିରୁ ୪୧୮ଜଣ ବସ୍ତି ଇଲାକାର । ବାକି ୧୪୧୦ ଜଣ ବିଭିନ୍ନ କଲୋନି, କ୍ୱାର୍ଟସ, ଶିଳ୍ପାନୁଷ୍ଠାନ, ମେଡିକାଲ, ବ୍ୟବସାୟିକ ପ୍ରତିିଷ୍ଠାନ ଓ ବିଭିନ୍ନ ଦପ୍ତରରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ଜୁଲାଇ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହିସାବରୁ ଜଣାପଡ଼ିଛି, ଏହି ୧୦ ଦିନରେ ଭୁବନେଶ୍ୱରରୁ ୯୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୭୩ଜଣ ଏବେ ସକ୍ରିୟ ରୋଗୀ ଭାବେ ଚିକିତ୍ସିତ ହେଉଥିବାବେଳେ ୯୫ଜଣ ସୁସ୍ଥ ହୋଇ ସାରିଛନ୍ତି । ଆଶ୍ୱସ୍ତିର କଥା ହେଲା, ଏହି ୧୦ ଦିନ ଭିତରେ କାହାରି ଜୀବନ ଯାଇନାହିଁ ।

ଜୁଲାଇ ୧୫ରୁ ୨୪ ଭିତରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବସ୍ତିରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି । ବାକି ୬୫୭ଜଣ ଆକ୍ରାନ୍ତ ବିଭିନ୍ନ କଲୋନି, ଆପାର୍ଟମେଣ୍ଟ, କମ୍ପାନି, ଘରୋଇ ପ୍ରତିଷ୍ଠାନ ଓ ମାର୍କେଟରୁ ଚିହ୍ନଟ ହୋଇଛନ୍ତି । ଏହି ୧୦ ଦିନରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୩ଜଣଙ୍କର ଲକ୍ଷଣ ଥିଲା । ବାକି ୨୬୮ଜଣ କରୋନା ରୋଗୀଙ୍କଠାରେ କୌଣସି ଲକ୍ଷଣ ନଥିଲା ।

ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରର ଏହି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଗତ ମାର୍ଚ୍ଚ ୧୫ରେ । ଇତିମଧ୍ୟରେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୮୨୮ରେ ପହଞ୍ଚିଛି। ସେଥିରୁ ୭୬୪ଜଣ ରୋଗୀଙ୍କର କରୋନା ଲକ୍ଷଣ ଥିଲା । ୧୦୬୪ ଜଣ ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନଥିଲା । ରାଜଧାନୀର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୭% କରୋନାକୁ ହରାଇ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧା ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତା’ ଭିତରୁ ୬୪ଜଣ ୬୦ ବର୍ଷ ବୟସରୁ ଅଧିକ । ଏବେ ଭୁବନେଶ୍ୱରରେ ୮ଜଣ ଆଇସିୟୁରେ ଅଛନ୍ତି । ହେଲେ ଭେଣ୍ଟିଲେଟରରେ କେହି ନାହାନ୍ତି ।

ବସ୍ତିରୁ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଏବେ ବି ୧୬୯ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ମହିଷାଖାଲରୁ ସର୍ବାଧିକ ୪୮ଜଣ ସଂକ୍ରମିତ ହୋଇଥିବାବେଳେ ଜଣେ ସୁସ୍ଥ ହୋଇସାରିଛନ୍ତି । ବାକି ୪୭ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ସାଲିଆସାହିରୁ ୧୬ଜଣ ଆରୋଗ୍ୟ ହୋଇଥିବାବେଳେ ୧୯ଜଣ ଚିକିତ୍ସିତ ହେଉଛନ୍ତି । ତ୍ରିନାଥ ବସ୍ତିରୁ ଏବେ ବି ୧୬ଜଣ ଚିକିତ୍ସିତ ହେଉଥିବାବେଳେ ପୂର୍ବରୁ ୭ଜଣ କରୋନା ମୁକ୍ତ ହୋଇସାରିଛନ୍ତି । ଏହାବାଦ୍‌ ବିଭିନ୍ନ ବସ୍ତିରୁ ଆହୁରି ୪୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ବସ୍ତିରୁ ୪୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.