ଚିନ୍ତା ବଢାଇଲାଣି କରୋନା, ଅଗଷ୍ଟରେ ବଢିପାରେ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭ : ଆମେରିକା ଓ ବ୍ରାଜିଲ ଭଳି ଭାରତରେ ବି କରୋନା ସଂକ୍ରମଣ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । ଦେଶରେ କୋଭିଡ-୧୯ର  ୩୭,୧୪୮ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୧୧,୫୫,୧୯୧କୁ ବୃଦ୍ଧି ପାଇଛି । ସେହିଭଳି ଦିନକରେ ଆଉ ୫୮୭ ଲୋକ ପ୍ରାଣ ହରାଇବା ପରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮,୦୮୪ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଦିଆଯାଇଥିବା ତଥ୍ୟରୁ ଏହା ଜାଣିବାକୁ ମିଳିଛି । ଏହି ତଥ୍ୟ ଅନୁସାରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା ୭,୨୪,୫୭୭ ରୋଗୀ ସୁସ୍ଥ ହୋଇସାରିଲେଣି । ଫଳରେ କରୋନା ଆରୋଗ୍ୟ ହାର ଦେଶରେ ଏବେ ୬୨.୭୨ ପ୍ରତିଶତ ହୋଇଛି । ଏବେ ୪,୦୨,୫୨୯ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।

ଭାରତରେ ନୂଆ ରୋଗୀ ଚିହ୍ନଟ ହାର ବା ପଜିଟିଭ ହାର ୩.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା କି ବିଶ୍ୱରେ ସର୍ବାଧିକ ରହିଛି । ସର୍ବାଧିକ ୩୯ ଲକ୍ଷ କରୋନା ମାମଲା ଥିବା ଆମେରିକାରେ ଏହି ହାର ଭାରତର ଅଧା ଅର୍ଥାତ ୧.୮ ପ୍ରତିଶତ ରହିଛି । ଏଥିସହ ଭାରତରେ ଆକ୍ରାନ୍ତ ସଂଖ୍ୟା ଦୁଇଗୁଣ ହେବା ପାଇଁ ଏବେ ମାତ୍ର ୧୯ ଦିନ ସମୟ ଲାଗୁଛି । ସେହି ଦୃଷ୍ଟିରୁ ଆଉ ୧୯ ଦିନ ମଧ୍ୟରେ ଅର୍ଥାତ ଅଗଷ୍ଟ ୮ ସୁଦ୍ଧା କରୋନା ସଂକ୍ରମିତ ସଂଖ୍ୟା ୨୨ ଲକ୍ଷ ଡେଇଁସାରିଥିବ । ଏମିତି କି ଆଗକୁ ସଂକ୍ରମଣ ହ୍ରାସ ନ ପାଇଲେ ଅଗଷ୍ଟ ଶେଷ ବେଳକୁ ଦେଶରେ ଆକ୍ରାନ୍ତ ସଂଖ୍ୟା ୪୪ ଲକ୍ଷ ଡେଇଁପାରେ ବୋଲି ଆକଳନ କରାଯାଇଛି ।

ଭାରତରେ ଜୁଲାଇ ୧ରୁ ୧୯ ତାରିଖ ମଧ୍ୟରେ ମୋଟ ୫.୩୭ ଲକ୍ଷ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । ପ୍ରାୟ ଏହି ସଂଖ୍ୟକ ରୋଗୀ ଜାନୁଆରୀ ୩୦ରୁ ଜୁନ ୩୦ ମଧ୍ୟରେ ସୃଷ୍ଟି ହୋଇଥିଲେ । ଦେଶରେ ଜୁଲାଇ ୮ ପର୍ଯ୍ୟନ୍ତ ଥରେ ବି ୨୫,୦୦୦ରୁ ଅଧିକ ନୂଆ ମାମଲା ଦେଖିବାକୁ ମିଳି ନ ଥିଲା । ଏବେ ପ୍ରତିଦିନ ହାରାହାରି ୪୦,୦୦୦ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସେହିଭଳି ଲଗାତର ୬ ଦିନ ହେଲା ଦିନକୁ ୩୦,୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ତଥ୍ୟ ମୁତାବକ ଜୁଲାଇ ୨୦ ତାରିଖ ସୁଦ୍ଧା ଦେଶରେ ମୋଟ ୧,୪୩,୮୧,୩୦୩ ନମୁନା ପରୀକ୍ଷଣ ହୋଇଛି । ଜୁଲାଇ ୨୦ରେ ଏକାକୀ ୩,୩୩,୩୯୫ ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୫୮୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥିରେ ମହାରାଷ୍ଟ୍ରର ସର୍ବାଧିକ ୧୭୬ ରୋଗୀ ରହିଛନ୍ତି । କର୍ଣ୍ଣାଟକରେ ଦିନକରେ ୭୨ ଲୋକଙ୍କ ଜୀବନ ଯାଇଥିବା ବେଳେ ତାମିଲନାଡୁରେ ୭୦, ଆନ୍ଧ୍ର ପ୍ରଦେଶରେ ୫୪ ଓ ଉତ୍ତର ପ୍ରଦେଶରେ ୪୬ ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ୩୫ ଲେଖାଏଁ ଲୋକଙ୍କ ଜୀବନ ଯାଇଥିବା ବେଳେ ଗୁଜରାଟରେ ୨୦, ମଧ୍ୟ ପ୍ରଦେଶରେ ୧୭ ଏବଂ ଜମ୍ମୁ-କାଶ୍ମୀରରେ ୧୦ ଜଣ ପ୍ରାଣ ହରାଇଛନ୍ତି । ରାଜସ୍ଥାନରେ ୯, ପଞ୍ଜାବରେ ୮, ତେଲେଙ୍ଗାନାରେ ୭, ହରିଆଣାରେ ୬, ଝାଡ଼ଖଣ୍ଡରେ ୪ଏବଂ ଉତ୍ତରାଖଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

କୋଭିଡ-୧୯ ଯୋଗୁ ଦେଶରେ ମୋଟ ୨୮,୦୮୪ ରୋଗୀ ପ୍ରାଣ ହରାଇଛନ୍ତି । ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୧୨,୦୩୦ ରୋଗୀ ରହିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ମୋଟ ୩,୬୬୩ ରୋଗୀଙ୍କ ଜୀବନ ଯାଇଥିବା ବେଳେ ତାମିଲନାଡୁରେ ୨,୫୫୧, ଗୁଜରାଟରେ ୨,୧୬୨, କର୍ଣ୍ଣାଟକରେ ୧,୪୦୩ ରୋଗୀଙ୍କ ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶରେ ମୋଟ ୧,୧୯୨ ରୋଗୀ ପ୍ରାଣ ହରାଇଥିବା ବେଳେ ପଶ୍ଚିମବଙ୍ଗରେ ୧,୧୪୭, ମଧ୍ୟ ପ୍ରଦେଶରେ ୭୩୮, ଆନ୍ଧ୍ର ପ୍ରଦେଶରେ ୬୯୬, ରାଜସ୍ଥାନରେ ୫୬୮, ତେଲଙ୍ଗାନାରେ ୪୨୨, ହରିଆଣାରେ ୩୫୫, ପଞ୍ଜାବରେ ୨୬୨, ଜମ୍ମୁ-କାଶ୍ମୀରରେ ୨୫୪, ବିହାରରେ ୨୧୭ ରୋଗୀଙ୍କ ଜୀବନ ଯାଇଛି । ଆଜି ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୧୭୬ ଲୋକ ପ୍ରାଣ ହରାଇଥିବା ବେଳେ ତାମିଲନାଡୁରେ ୭୦, କର୍ଣ୍ଣାଟକରେ ୭୨, ଆନ୍ଧ୍ର ପ୍ରଦେଶରେ ୫୪, ଉତ୍ତର ପ୍ରଦେଶରେ ୪୬ ଏବଂ ଦିଲ୍ଲୀରେ ୩୫ ଲୋକଙ୍କ ଜୀବନ ଯାଇଛି ।

ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ସର୍ବାଧିକ ୩,୧୮,୬୯୫ ଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ତାମିଲନାଡୁରେ ଆକ୍ରାନ୍ତ ସଂଖ୍ୟା ୧,୭୫,୬୭୮ ରହିଛି । ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୧,୨୩,୭୪୭ ଥିବା ବେଳେ କର୍ଣ୍ଣାଟକରେ ୬୭,୪୨୦, ଆନ୍ଧ୍ର ପ୍ରଦେଶରେ ୫୩,୭୨୪, ଉତ୍ତର ପ୍ରଦେଶରେ ୫୧,୧୬୦, ଗୁଜରାଟରେ ୪୯,୩୫୩, ତେଲଙ୍ଗାନାରେ ୪୬,୨୭୪ ରହିଛି । ପଶ୍ଚିମବଙ୍ଗରେ କୋଭିଡ-୧୯ ମାମଲା ବଢ଼ି ୪୪,୬୭୯ ହୋଇଥିବା ବେଳେ ରାଜସ୍ଥାନରେ ୩୦,୩୯୦, ବିହାରରେ ୨୭,୬୪୬, ହରିଆଣାରେ ୨୬,୮୫୮, ଆସାମରେ ୨୫,୩୮୨ ଓ ମଧ୍ୟ ପ୍ରଦେଶରେ ୨୩,୩୧୦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.