ଦେଶରେ କରୋନା ସ୍ଥିତି ସଙ୍ଗୀନ : ୨୪ଘଣ୍ଟାରେ ୧ହଜାରରୁ ଅଧିକ ମୃତ, ୩୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮:  ଦେଶରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନି । ପ୍ରତି ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଚାଲିଛି । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୬୭,୧୫୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ୨୪ଘଣ୍ଟାରେ ୧,୦୫୯ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଜାରି କରାଯାଇଥିବା ତଥ୍ୟନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୩୨,୩୪,୪୭୪ରେ ପହଞ୍ଚିଛି ।

ସେହିପରି ଦେଶରେ ମୃତକଙ୍କ ସଂଖ୍ୟା ମଧ୍ୟ ୫୯,୪୪୯ରେ ପହଞ୍ଚିଛି । ଦେଶରେ କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭,୦୭,୨୬୭ଆକ୍ଚିଭ୍ କେସ୍ ରହିଥିବା ବେଳେ ୨୪,୬୭,୭୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ଼-୧୯ରେ ପରୀକ୍ଷଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି କରାଯାଉଛି ।  ୨୫ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ୩କୋଟି ୭୬ଲକ୍ଷ ୫୧ହଜାର ୫୧୨ ପରୀକ୍ଷଣ ହୋଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ ବୁଧବାର କୁହାଯାଇଛି ଯେ, ୨୫ ଅଗଷ୍ଟ ଦେଶରେ କରୋନା ଭାଇରସର ଆଠ ଲକ୍ଷ୨୩ହଜାର ୯୯୨ନମୁନା ପରୀକ୍ଷଣ ହୋଇଛି ।କିନ୍ତୁ ଗୋଟିଏ ଦିନ ପୂର୍ବ ଦେଶରେ ୯ଲକ୍ଷ ୨୫ହଜାର ୩୮୩ ଟେଷ୍ଟ କରାଯାଇଥିଲା । ତେବେ ପୂର୍ବ ଅପେକ୍ଷାରେ ଗୋଟିଏ ଲକ୍ଷ କମ୍‌ ଟେଷ୍ଟ କରାଯାଇଛି । ପରିଷଦ ଅନୁସାରେ ୨୫ଅଗଷ୍ଟ ପର୍ଯ୍ୟନ୍ତ କରୋନାରେ ମୋଟ ୩କୋଟି ୭୬ଲକ୍ଷ ୫୧ହଜାର ୫୧୨ରେ ପରୀକ୍ଷଣ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.