ପୁଣି ବଢିଲା କରୋନା ପ୍ରକୋପ, ଗୋଟିଏ ମାସ ପର୍ଯ୍ୟନ୍ତ ଏହି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
9/01/2021 at 2:04 PM

ଟୋକିଓ ୦୯/୦୧: ଜାପାନରେ କରୋନା ଭାଇରସ୍ ପ୍ରଭାବ ପୁଣି ଥରେ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରାଯାଇଛି। ଏହି ଜରୁରୀକାଳୀନ ପରିସ୍ଥିତି ଗତ ଶୁକ୍ରବାରଠାରୁ ଲାଗୁ ହୋଇଛି। ଏହା ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ୍ କର୍ମୀଙ୍କୁ କଡ଼ା କଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହେବାର ପ୍ରଥମ ଦିନ ସେଠାରେ ଜନଜୀବନ ସ୍ଵାଭାବିକ ରହିବା ସହିତ ଟ୍ରେନ୍ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଥିଲା। ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଏହି ସମୟରେ ରେଷ୍ଟୁରାଣ୍ଟରେ କାମ କାରୁଥିବା ଲୋକଙ୍କୁ କମ୍ ସମୟ କାମ କରାଇବା ଏବଂ କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ପୁନର୍ବାର ନିବେଦନ କରିଛନ୍ତି। ଏପରି ପରିସ୍ଥିତିକୁ ସେ ଗମ୍ଭୀରତାର ସହ ନେଇ ଲୋକଙ୍କ ସହଯୋଗରେ ପରିସ୍ଥିତିକୁ ଏଡ଼ାଯାଇ ପାରିବ ବୋଲି ସେ କହିଛନ୍ତି।
ବର୍ତ୍ତମାନ ଜାପାନର ରେଷ୍ଟୁରାଣ୍ଟ ଏବଂ ବାର୍ ଗୁଡ଼ିକ ୮ଟା ଭିତରେ ବନ୍ଦ କରିବାକୁ କୁହାଯାଇଛି। ଏହା ସହ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି। ପ୍ରଧାନମନ୍ତ୍ରୀ ସୁଗା ଦେଶର ପ୍ରତ୍ୟେକ କୋଣରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା କହିଛନ୍ତି। ତେବେ ଜାପାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୬୦ ହଜାର କୋଭିଡ୍ ମାମଲା ସାମ୍ନାକୁ ଆସିଥିବା ବେଳେ ଶୁକ୍ରବାର ୭ ହଜାର ୫୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।