ଭାରତରେ କରୋନା ବିସ୍ଫୋରଣ, ପ୍ରତି ମିନିଟ୍‌ରେ ୨୪୩ ସଂକ୍ରମିତ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ,୨୬।୦୪: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା  । ପ୍ରତି ମିନିଟ୍‌ରେ ୨୪୩ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିଭଳି ଗୋଟିଏ ମିନିଟ୍‌ରେ ପ୍ରାୟ ୨ ଜଣଙ୍କ ମୃତ୍ୟୁ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି, କେତେ ଭୟଙ୍କର ରୂପ ନେଇଛି କରୋନାର ୨ୟ ଲହରୀ । ଲଗାତାର ଭାବେ ଦେଶରେ କରୋନାର ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି । ବର୍ତ୍ତମାନ ସ୍ଥିତିରେ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଏଭଳି ସ୍ଥିତିରେ ରହିଛନ୍ତି ।

ଭାରତରେ ପ୍ରତି ମିନିଟ୍‌ରେ ୧,୧୯୪ଟି ନମୁନା ପରୀକ୍ଷା କରାଯାଉଛି । ଗତ ୩ ଦିନରେ ଭାରତରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ଯାହାକି ଚିନ୍ତାର ବିଷୟ । କିଛିମାସ ପୂର୍ବରୁ ୧୦ ଲକ୍ଷ ସଂକ୍ରମିତ ହେବା ଲାଗି ୬୫ ଦିନ ସମୟ ଲାଗୁଥିଲା । କିନ୍ତୁ ଏବେ ୩ ଦିନ ଲାଗୁଛି ।  ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ ଲହରୀ ଯେତେବେଳେ ଶୀର୍ଷସ୍ତରରେ ରହିଥିଲା ସେତେବେଳେ ମଧ୍ୟ ୧୦ ଲକ୍ଷ ସଂକ୍ରମଣ ଚିହ୍ନଟ ହେବାକୁ ୧୧ ଦିନ ସମୟ ଲାଗିଥିଲା । ଗତ ଦୁଇମାସରେ ସକ୍ରିୟ ମାମଲା ସଂଖ୍ୟା ୧୫ ଗୁଣ ବଢ଼ିଛି । ଫେବ୍ରୁଆରୀ ମଧ୍ୟଭାଗରେ ସକ୍ରିୟ ରୋଗୀ ସଂଖ୍ୟା ଥିଲା ୧.୩ ଲକ୍ଷ । ବର୍ତ୍ତମାନ ତାହା ୨୬ ଲକ୍ଷ ଅତିକ୍ରମ କରିଛି । ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ୨୬ ପ୍ରତିଶତ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ତଳକୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ କେରଳ ଅଛନ୍ତି । ସଂକ୍ରମିତଙ୍କ ସଂଖ୍ୟ ଦ୍ରୁତଗତିରେ ବଢ଼ୁଥିବାରୁ ହସ୍ପିଟାଲରେ ଆଇସିୟୁ ବେଡ୍‌, ଅକ୍ସିଜେନ ଓ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ବଢ଼ିଛି । ଗତ ସପ୍ତାହରେ ଭାରତ ବିଶ୍ୱରେ ୩୦ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ଯୋଡିଥିବା ପରିସଂଖ୍ୟାନରୁ ଜଣାପଡିଛି ।

ତେବେ କିଛି ତଥ୍ୟା ଅନୁସାରେ ଭାରତରେ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ୧୪ଟି କରୋନା କେସ୍ ଥିବା ବେଳେ ଏପ୍ରିଲ୍‌ ୧୪ରେ ଏହା ୧୪୦୦କୁ ବୃଦ୍ଧି ପାଇଥିଲା । ସେହିପରି ମେ ୨୦ରେ ଏହି ସଂଖ୍ୟା ୫ହଜାରକୁ ଛୁଇଁଥିଲା । ଜୁନ୍‌ ୧୨ରେ ୧୦ହଜାର, ଜୁଲାଇ ୩୦ରେ ୫୦ହଜାର, ସେପ୍ଟେମ୍ବର ୧୨ରେ ୯୭ହଜାରରେ ପହଞ୍ଚିଥିଲା ଗ୍ରାଫ୍‌ । ପରେ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା । ୨୦୨୧ ଫେବୃଆରୀରେ କରୋନା କେସ୍‌ ୮ହଜାରକୁ ଖସିଆସିଥିବା ବେଳେ ମାର୍ଚ୍ଚ ୨୫ବେଳକୁ କିନ୍ତୁ ଏହା ଦ୍ରୁତଗତିରେ ବ୍ୟାପି ୫୫ହଜାରରେ ପହଞ୍ଚିଥିଲା । ତାପରେ ଏପ୍ରିଲ୍‌ ୪ରେ ଦେଶରେ କରୋନା ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚିଥିଲା । ଏହିଦିନ ୧ଲକ୍ଷ କେସ୍‌ ସାମ୍ନାକୁ ଆସିଥିଲା । ପର୍ଯ୍ୟାୟକ୍ରମେ ଏପ୍ରିଲ୍‌ ୧୫ରେ ୨ଲକ୍ଷ ଉପରେ କେସ୍‌ ଥିବା ବେଳେ ୨୫ରେ ୩.୫ ଲକ୍ଷ ପାର୍‌ ହୋଇଥିଲା ।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୧,୭୩,୧୩,୧୬୩କୁ ବୃଦ୍ଧି ପାଇଛି । ସେଥିରୁ ୧,୪୩,୪,୩୮୨ ଜଣ ଆରୋଗ୍ୟ ହୋଇସାରିଥିଲା ବେଳେ ୧,୫୨,୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ଏବେ ସକ୍ରିୟ ରୋଗୀସଂଖ୍ୟା ରହିଛି ୨୮,୧୩,୬୫୮ । ଗତବର୍ଷ ଡିସେମ୍ବର ୨୯ରେ ଭାରତରେ ସଂକ୍ରମଣ ସଂଖ୍ୟା ୧ କୋଟି ଟପିଥିଲା । ଗତ ଏପ୍ରିଲ ୧୯ରେ ଏହି ସଂଖ୍ୟା ୧.୫ କୋଟି ପାର୍‌ ହୋଇଛି । ଅନ୍ୟପକ୍ଷରେ ଭାରତରେ ଏପର୍ଯ୍ୟନ୍ତ ୧୪ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆଗଲାଣି । ୯୯ ଦିନରେ ଏହି ଟିକା ଦିଆଯାଇଛି । ଯାହାଫଳରେ ଭାରତ ବିଶ୍ୱରେ ଦ୍ରୁତ ଟିକା ପ୍ରଦାନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ।

ସେପଟେ ପଶ୍ଚିମବଙ୍ଗରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କୋଲକାତାରେ RT-PCR ଟେଷ୍ଟ କରୁଥିବା ପ୍ରତି ୨ ଜଣରେ ଜଣେ ବ୍ୟକ୍ତିଙ୍କର ରିପୋର୍ଟ ପିଜିଟିଭ ଆସୁଛି । କୋଲକାତାକୁ ଛାଡି ଅନ୍ୟ ସ୍ଥାନମାନଙ୍କରେ ଟେଷ୍ଟ କରୁଥିବା ପ୍ରତି ୪ ଜଣରେ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି । ମାସ ଆରମ୍ଭରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବର୍ତ୍ତମାନ ତାହାର ୫ ଗୁଣା ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅର୍ଥାତ ମାସ ଆରମ୍ଭରୁ ପ୍ରତି ୨୦ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପଶ୍ଚିମବଙ୍ଗରେ ବର୍ତ୍ତମାନ ପ୍ରତି ୪ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.