କରୋନା ‘ହେଲମେଟ୍’ ପରେ ‘ମିଠା’, ବର୍ତ୍ତମାନ କରୋନା ‘କାର୍’, ୬ ଚକିଆ କାର୍ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 09, 2020 IST

ହାଇଦ୍ରାବାଦ ୯।୪: ସମଗ୍ର ବିଶ୍ବ କରୋନା ଭାଇରସ୍ ସଂକ୍ରମଣ ସହ ସଂଘର୍ଷ କରୁଛି । ଏହି ଭାଇରସ୍ ର ମୁକାବିଲା ପାଇଁ ଲକ୍ ଡାଉନ୍ କରାଯାଇଛି । ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ଲୋକଙ୍କୁ ବିଭିନ୍ନ ବାର୍ତ୍ତା ଦେଉଛନ୍ତି ଏବଂ ସତର୍କତା ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ କରୋନା କାର୍ ହାଇଦ୍ରାବାଦ ରାସ୍ତାରେ ବୁଲୁଛି। ଏଭଳି ପରିସ୍ଥିତିରେ ହାଇଦ୍ରାବାଦରେ ଏକ କାର୍ ଡିଜାଇନ୍ କରୁଥିବା ବ୍ୟକ୍ତି ମହାମାରୀ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରି କରୋନା ଭାଇରସ୍ କାର୍ ତିଆରି କରିଛନ୍ତି ।

ହାଇଦ୍ରାବାଦର କାର୍ ଡିଜାଇନର୍ ଏକ କରୋନା ଭାଇରସ୍ କାର୍ ତିଆରି କରିଛନ୍ତି ଯାହା ମାରାତ୍ମକ ଭାଇରସ୍ ଏବଂ ଏହାର ସଂକ୍ରମଣର ବିପଦ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଥାଏ । କେବଳ ଏତିକି ନୁହେଁ, କାରଟି ଲୋକଙ୍କୁ କିପରି ଏହି ମହାମାରୀକୁ ଏଡାଇ ହେବ ତାହା ମଧ୍ୟ କହିଥାଏ ।

କାର୍ ବିଷୟରେ ଏହାର ଡିଜାଇନର୍ କେ ସୁଧାକର କହିଛନ୍ତି ଯେ, କରୋନା ଭାଇରସ୍ ବିସ୍ତାର ଏବଂ ଏହାର ବିପଦକୁ ଦୃଷ୍ଟିରେ ରଖି ସେ ଏହି କାର୍ ନିର୍ମାଣ କରିଛନ୍ତି । ଏହି କାର୍ ମଧ୍ୟ ସାଧାରଣ କାର୍ ପରି ଚାଲିଥାଏ । ଏହି କାରର ଡିଜାଇନ୍ ଠିକ୍ କରୋନା ଭାଇରସ୍ ଭଳି । ଏହି କାରଟି ଗୋଟିଏ ସିଟ୍ ବିଶିଷ୍ଟ । ଏଥିରେ ୧୦୦ ସିସି ଇଞ୍ଜିନ୍ ଅଛି । କାରରେ ୬ଟି ଚକ ଏବଂ ଫାଇବର ବଡି ଅଛି । ଏହା ଘଣ୍ଟା ପ୍ରତି ପ୍ରାୟ ୪୦ କିଲୋମିଟର ବେଗରେ ଚାଲିପାରିବ । କାର୍ ନିର୍ମାଣ ପାଇଁ ୧୦ ଦିନ ସମୟ ଲାଗିଛି ।

ସୁଧାକରଙ୍କ ଅନୁଯାୟୀ, ଏହି କାର୍ ତିଆରି କରିବାରେ ତାଙ୍କର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହି ଭାଇରସର ଗମ୍ଭୀରତା ବିଷୟରେ ଅବଗତ କରାଇବା ଯାହା ଦ୍ବାରା ଲୋକମାନେ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବେ । କୋଭିଡ-୧୯ ବିଷୟରେ ସଚେତନତା ସୃଷ୍ଟି କରିବାରେ ସୁଧାକର ଏହି କାରକୁ ହାଇଦ୍ରାବାଦ ପୋଲିସକୁ ଦାନ କରିବାକୁ ଯୋଜନା କରୁଛନ୍ତି ।

କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି କରୋନା ହେଲମେଟ୍ ତିଆରି କରିଥିଲେ । କାନପୁରର ଜଣେ ଯୁବକ କରୋନା ଭାଇରସ୍ କୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା କିଟ୍ ଡିଜାଇନ୍ କରିଥିଲେ । ଏହି କିଟ୍ ହେଲମେଟ୍ ପରି ପିନ୍ଧାଯାଇପାରିବ । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ପାରା ମେଡିକାଲ୍ କର୍ମଚାରୀ, ପୋଲିସ୍ ସୁରକ୍ଷା ଅସ୍ତ୍ରଶସ୍ତ୍ର ପିନ୍ଧି ସହଜରେ କାମ କରିପାରିବେ । କରୋନା ହେଲମେଟ୍ ତିଆରି କରିବାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ କରୋନା ଭାଇରସ୍ ବିଷୟରେ ଅବଗତ କରାଇବା ।

ସେହିଭଳି ପଶ୍ଚିମବଙ୍ଗରେ ତିଆରି କରୋନା ମିଠା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା ​​। କୋଲକାତାର ଏକ ମିଠା ଦୋକାନୀ କରୋନା ଭାଇରସ୍ ପରି ମିଠା ତିଆରି କରିଥିଲେ । ଯଦିଓ କରୋନା ଭାଇରସର ଭୟ ଦୁନିଆରେ ବ୍ୟାପିଛି, କୋଲକାତାବାସୀ ଏହି ମିଠାକୁ ବହୁତ ପସନ୍ଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.