୩୧ହଜାର ଲୋକଙ୍କୁ ବିବାହ ନିମନ୍ତ୍ରଣପତ୍ର ବାଣ୍ଟି ସାରିଥିଲେ କଂଗ୍ରେସ୍ ବିଧାୟକ : କିନ୍ତୁ ଭାଙ୍ଗି ଚୁରମାର ହୋଇଗଲା ସମସ୍ତ ସ୍ବପ୍ନ
26/11/2020 at 12:31 PM

ଇନ୍ଦୋର ୨୬/୧୧: ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଭାଇରସ୍ ପୁଣି ଥରେ ରୌଦ୍ର ରୂପ ଧାରଣ କରିଛି। କରୋନାର ପ୍ରକୋପ ବଢ଼ୁଥିବା ଦେଖି ପ୍ରଶାସନ କଡ଼ାକଡ଼ି ବ୍ୟବସ୍ଥା କରୁଥିବାବେଳେ କ୍ରମାଙ୍କ ୧ଅଞ୍ଚଳର କଂଗ୍ରେସ୍ ବିଧାୟକ ସଞ୍ଜୟ ଶୁକ୍ଳା ସମାଜ ସାମନାରେ ଏକ ବିଚିତ୍ର ଉଦାହରଣ ଦେଇଛନ୍ତି। ପୁଅଙ୍କ ବିବାହ ଧୁମଧାମରେ କରିବାର ତାଙ୍କର ସବୁ ସ୍ବପ୍ନ ଅଧୁରା ରହିଗଲା। ତାଙ୍କ ସୁପୁତ୍ରଙ୍କ ବିବାହ ଡିସେମ୍ବର ୪ରୁ ୧୧ରେ ଆୟୋଜିତ ହେବାର ଥିଲା ଯେଉଁଥିପାଇଁ ପାଖାପାଖି ସମସ୍ତ ବଡ଼ ରାଜନେତା ସମେତ ୩୧୦୦୦ ନିମନ୍ତ୍ରଣପତ୍ର ବାଣ୍ଟି ଦିଆଯାଇଥିଲା କିନ୍ତୁ ଏହି ସମୟରେ ପୁଣି ଥରେ କରୋନାର ପ୍ରକୋପ ବଢ଼ିଯାଇଛି। ଏହାକୁ ଧ୍ୟାନରେ ରଖି ସେ ସ୍ନେହ ଭୋଜି ଏବଂ ମାଙ୍ଗଳିକ ଆୟୋଜନ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ କରିବାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଆୟୋଜନ ସୀମିତ ହୋଇ କେବଳ ପରିବାର ଲୋକଙ୍କ ଭାଗିଦାରୀରେ ସମ୍ପନ୍ନ କରାଯିବ।

କରୋନା ମହାମାରୀକୁ ନେଇ ସାବଧାନତା ଏବଂ ସୁରକ୍ଷାକୁ ନେଇ ସମ୍ପୂର୍ତ୍ତ ସଚେତନ ରହିବା ଏବଂ କରୋନାକୁ ରୋକିବା ପାଇଁ ପ୍ରଶାସନ ଦ୍ବାରା ଜାରି ନିର୍ଦେଶକୁ ପାଳନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ। ବିଧାୟକ ଶୁକ୍ଳା କହିଛନ୍ତି ଯେ ବିବାହର ସମସ୍ତ ପ୍ରସ୍ତୁତି ଏବଂ ନିମନ୍ତ୍ରଣର କାର୍ଯ୍ୟ ମାସେ ହେବ ଚାଲିଥିଲା। ପାଖାପାଖି ୩୧୦୦୦କାର୍ଡ଼ ବଣ୍ଟାଯାଇସାରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସମେତ ଅନେକ ରାଜନେତାଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

ନିକଟରେ କରୋନାର ପ୍ରକୋପ ସମଗ୍ର ଦେଶରେ ବଢ଼ି ଯାଇଛି ଏବଂ ଅନେକ ଲୋକ ସଂକ୍ରମିତ ହେଉଛନ୍ତି ଯାହାକୁ ଦୃଷ୍ଟିରେ ରଖି ତାଙ୍କ ପରିବାର ସ୍ଥିର କରିଛି ଯେ କୋଭିଡ ୧୯ ଗାଇଡଲାଇନ୍ ଅନୁସାରେ କେବଳ ପରିବାର ଲୋକଙ୍କ ଦ୍ବାରା ବିବାହର ସମସ୍ତ ରୀତି ନୀତି କରୋନା ଗାଇଡଲାଇନ୍ ଏବଂ ସୋସିଆଲ ଡିସଟାନସିଂ ଦ୍ବାରା ପାଳନ କରାଯିବ।

ସମସ୍ତ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ଶୁଭେଚ୍ଛା ଏବଂ ଶୁଭକାମନା ସୋସିଆଲ ମିଡିଆ ମାଧ୍ୟମରେ ଦେଇ ବର-କନ୍ୟାଙ୍କୁ ଆଶିଷ ଦେଇ ପାରିବେ। ଦେଶରେ ଖୁବ୍ ଶୀଘ୍ର କରୋନା ଭ୍ୟାକସିନ ଆସିଯିବ ସେତେ ଦିନ ଯାଏଁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

ସଞ୍ଜୟ ଶୁକ୍ଳା ଏବଂ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଆମେ ସମସ୍ତେ ମିଶି କରୋନା ଯୁଦ୍ଧ ଜିତିବା ଏବଂ ଭୋଜିର ଆୟୋଜନ ମହାମାରୀ ଦୂର ହେବା ପରେ ପୁଣି ଥରେ କରାଯିବ। ସେ ଏବଂ ତାଙ୍କ ପରିବାର ସମସ୍ତ ଆତ୍ମୀୟ ସ୍ବଜନଙ୍କଠୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସମସ୍ତଙ୍କୁ ହୋଇଥିବା ଅସୁବିଧା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।