ରେକର୍ଡ ଭାଙ୍ଗିଲା କରୋନା : ୨୪ ଘଣ୍ଟାରେ ସର୍ବାଧିକ ୮ ହଜାର ୩୮୦ ନୂଆ ମାମଲା, ୧୯୩ ସଂକ୍ରମିତଙ୍କ ମୃତ୍ୟୁ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧/୦୫ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ରେକର୍ଡ ଭାଙ୍ଗିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୩୮୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୪୨ରେ ପହଞ୍ଚିଛି | ଶୁକ୍ରବାର ଦିନ ୭ ହଜାର ୯୬୪ ନୂଆ ମାମଲା ସାମ୍ନାକୁ ଆସିଥିଲା | ୨୬୫ କରୋନା ପୀଡିତଙ୍କ ମୃତ୍ୟୁ ହୋଇଥିଲା |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୮୯ ହଜାର ୯୯୫ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀରେ ଏବେ ସୁଦ୍ଧା ୫ ହଜାର ୧୬୪ ପୀଡିତଙ୍କ ମୃତ୍ୟୁ ହୋଇଛି | ୮୬ ହଜାର ୯୮୩ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଜଣେ ବିଦେଶୀ ନାଗରିକ ନିଜ ଦେଶକୁ ଫେରି ଯାଇଛନ୍ତି | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ଗୋଟିଏ ଦିନରେ ୨ ହଜାର ୯୪୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୯୯ଜଣଙ୍କ ମୃତ୍ୟୁ ହୋଇଛି | ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୫ ହଜାର ୧୬୮ରେ ପହଞ୍ଚିଛି |

ଦେଶରେ କରୋନାରେ ପ୍ରାଣ ହରାଇଥିବା ୫ ହଜାର ୧୬୪ ମାମଲା ମଧ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ମହାରାଷ୍ଟ୍ରର ରହିଛି | କେବଳ ମହାରାଷ୍ଟ୍ରରେ ୨ ହଜାର ୧୯୭ ଜଣ ପ୍ରାଣ ହରାଇଛନ୍ତି | ଗୁଜରାଟରେ ହଜାରେ ୭ ଜଣ ପ୍ରାଣ ହରାଇଥିବାବେଳେ ମଧ୍ୟ ପ୍ରଦେଶରେ ୩୪୩ ଜଣ ପ୍ରାଣ ହରାଇଛନ୍ତି | ଦିଲ୍ଲୀରେ ୪୧୬, ପଶ୍ଚିମବଙ୍ଗରେ ୩୦୯, ଉତ୍ତର ପ୍ରଦେଶରେ ୨୦୧, ରାଜସ୍ତାନରେ ୧୯୩, ତାମିଲନାଡୁରେ ୧୬୦, ତେଲେଙ୍ଗାନାରେ ୭୭, ଆନ୍ଧ୍ରପ୍ରଦେଶରେ ୬୦ ମୃତ୍ୟୁ ମାମଲା ରହିଛି | କର୍ଣ୍ଣାଟକରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଞ୍ଜାବରେ ୪୪, ଜାମ୍ମୁ କାଶ୍ମୀରରେ ୨୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.