ଯୋଧପୁର IITରେ କରୋନା ବିସ୍ଫୋରଣ : ୭୦ ଛାତ୍ରଛାତ୍ରୀ, ଶିକ୍ଷକ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

Published By : Prameya-News7 Bureau | April 05, 2021 IST

ଯୋଧପୁର ୦୫/୦୪ : ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିରେ କରୋନା ବିସ୍ଫୋରଣ ହୋଇଛି । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଯୋଧପୁର ଉପ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପି. ସିଂହ କହିଛନ୍ତି ଯେ, ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର କିଛି ଛାତ୍ରଛାତ୍ରୀ ଆସିଥିଲେ । ପରୀକ୍ଷା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ କରୋନା ବିଜିଟିଭ ଚିହ୍ନଟ ହୋଇଥିଲେ ।

ଏହା ପରଠୁ ଲଗାତାର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଯୋଧପୁର ଆଇଆଇଟିର ପ୍ରାୟ ୬୫-୭୦ ଜଣ କରୋନା ଆକ୍ରାନ୍ତ ହୋଇସାରିଲେଣି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଥିବା ବ୍ଲକ୍‌ ଜି-୩କୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଜଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କଲେଜ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଶେଷ ହୋଇଛି । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କଲେଜ କର୍ମଚାରୀଙ୍କୁ ହୋମ୍‌ ଆଇସୋଲେସନରେ ରଖାଯାଇଛି ।

ସୂଚନାଯୋଗ୍ୟ, ଯୋଧପୁରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ୧୨୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.