କରୋନାରେ ଦେଶରେ ପଞ୍ଚମ ମୃତ୍ୟୁ, ଜୟପୁରରେ ପ୍ରାଣ ହରାଇଲେ ଇଟାଲୀ ନାଗରିକ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି । ଏଥିରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ଲକ୍ଷ୍ନୌରେ ଚାରି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ନୌର କେଜିଏମୟୁ ହସ୍ପିଟାଲରେ ଏବେ ୯ ଜଣଙ୍କ ଚିକିତ୍ସା ଜାରି ରହିଛି । ଦେଶର ୨୦ ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । ସବୁଠୁ ଅଧିକ ମହାରାଷ୍ଟ୍ର ପ୍ରଭାବିତ ହୋଇଛି ।

କରୋନା ଭାଇରସ୍ ରେ ଆନ୍ଧ୍ରପ୍ରଦେଶରେ ୩, ଦିଲ୍ଲୀରେ ୧୨ଜଣ, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୫, କେରଳରେ ୨୮, ମହାରାଷ୍ଟ୍ରରେ ୫୨, ପଞ୍ଜାବରେ ୨, ରାଜସ୍ଥାନରେ ୯, ତାମିଲନାଡୁରେ ୩, ତେଲେଙ୍ଗାନାରେ ୧୬, ଜମ୍ମୁକାଶ୍ମୀରରେ ୪, ଲଦାଖରେ ୧୦, ଉତ୍ତରପ୍ରଦେଶରେ ୨୩, ଉତ୍ତରାଖଣ୍ଡରେ ୩, ଓଡିଶାରେ ୨, ଗୁଜୁରାଟରେ ୫, ଚଣ୍ଡୀଗଡରେ ଜଣେ, ପୁଡୁଚେରୀରେ ଜଣେ  ଏବଂ ଛତିଶଗଡରେ ଜଣେ ଆକ୍ରାନ୍ତ ହୋଇଛନ୍ତି ।

କରୋନା ଯୋଗୁଁ ୫ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକର କଲବର୍ଗୀରେ ହୋଇଥିଲା । ଏହାପରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଦ୍ବିତୀୟ ମୃତ୍ୟୁ ଘଟିଥିଲା । ତୃତୀୟ ମୃତ୍ୟୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ହୋଇଥିଲା ଏବଂ ଚତୁର୍ଥ ମୃତ୍ୟୁ ଗତକାଲି ଅର୍ଥାତ୍ ଗୁରୁବାର ଦିନ ପଞ୍ଜାବରେ ହୋଇଥିଲା । ବିଶେଷ କଥା ହେଉଛି ମୃତ୍ୟୁବରଣ କରିଥିବା ୪ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ଥିଲା। ଏହା ବ୍ୟତୀତ ଶୁକ୍ରବାର ରାଜସ୍ଥାନରେ ଜଣେ ଇଟାଲୀ ନାଗରିକଙ୍କର ମୃତ୍ୟୁ ହୋଇଛି। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ଦାବି କରିଛନ୍ତି। ସେ କରୋନା ସଂକ୍ରମଣରୁ ଅସୁସ୍ଥ ହୋଇଥିଲେ।

ଲକ୍ଷ୍ନୌର କେଜିଏମୟୁରେ କରୋନାର ୯ ରୋଗୀ ଚିକିତ୍ସିତ ହେଉଛନ୍ତି। ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଯଦି ଜିଲ୍ଲା ଅନୁଯାୟୀ ଦେଖାଯାଏ ୮ ଜଣ ଲକ୍ଷ୍ନୌର ହୋଇଥିବାବେଳେ ଜଣେ ରୋଗୀ ଲକ୍ଷ୍ମୀପୁର ଖେରୀର | ବର୍ତ୍ତମାନ କେଜିଏମୟୁରେ ମୋଟ୍ ୯ଜଣ କରୋନା ପଜିଟିଭ ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୟୁରୋପରୁ ଫେରିଥିବା ଗୋଟିଏ ପରିବାରର ୩ ଜଣ ଲୋକ ଅଛନ୍ତି। ଆଜି ପିଜିଟିଭ ରିପୋର୍ଟ ଆସିଥିବା ୪ଟି ମାମଲା ମଧ୍ୟରୁ ୨ ଜଣ ମହିଳା, ୨୦ ଏବଂ ୨୮ ବର୍ଷ ହୋଇଥିବାବେଳେ ପୁରୁଷ ୩୫ ଏବଂ ୩୭ ବର୍ଷ ବୟସ୍କ ଅଟନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.