ଜୀବଦଶାରେ ଲୋକଙ୍କୁ ନିଜର କରିଥିଲେ, କିନ୍ତୁ ମୃତ୍ୟୁ ପରେ ପର ହୋଇଗଲେ... ଜଣେ କରୋନା ଯୋଦ୍ଧାଙ୍କ କାହାଣୀ

Published By : Prameya-News7 Bureau | July 23, 2020 IST

କନ୍ଧମାଳ୨୩/୭: କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ସମାଧି ଦେବାକୁ ଗାଁ ଲୋକଙ୍କର ବିରୋଧ। ମୃତ୍ୟୁର ୨୪ ଘଣ୍ଟା ପରେ ତାଙ୍କ ଗାଁରେ ମୃତ ଡାକ୍ତର ସପନ କୁମାର ପ୍ରଧାନଙ୍କୁ ସମାଧି ଦେଇନପାରି ଅନ୍ୟ ସ୍ଥାନରେ ସମାଧି ଦେଇଛନ୍ତି ପରିବାର ଲୋକେ। ଡାକ୍ତର ସପନ କୁମାର ପ୍ରଧାନ ଜି. ଉଦୟଗିରିରେ ଏକ କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଥିଲେ। ହଠାତ୍  ରକ୍ତଚାପ ବୃଦ୍ଧି ଏବଂ ଡାଇବେଟିସ୍ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କରୋନା କଟକଣାରେ ଲୋକେ ଘରୁ ବାହାରକୁ ବାହାରୁ ନଥିବା ବେଳେ ସେ ରୋଗୀଙ୍କ ଚିକିତ୍ସା କରୁଥିଲେ। ଡାକ୍ତର ସପନ କୁମାର ପ୍ରଧାନ ମଧ୍ୟ ଜଣେ କରୋନା ଯୋଦ୍ଧା ଥିଲେଃ

ସେଠାରେ ଡାକ୍ତର କିଛିଟା ଚିକିତ୍ସା କରିବା ପରେ ଫୁଲବାଣୀ ଡାକ୍ତରଖାନାକୁ ରେଫର୍ କରିଥିଲେ। ତେବେ ଆମ୍ବୁଲାନ୍ସ ଠିକ୍ ସମୟରେ ନ ଆସିବାରୁ ନିଜ ଗାଡ଼ିରେ ତାଙ୍କୁ ଫୁଲବାଣୀ ନିଆଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କ ମୃତଦେହକୁ ନେଇ ତାଙ୍କ ଗାଁ ଶ୍ମଶାନରେ ସମାଧି ଦେବାକୁ ଯିବା ବେଳେ ଗାଁ ଲୋକେ ବିରୋଧ କରିଥିଲେ।  ଶେଷରେ ମୃତ୍ୟୁର ୨୪ ଘଣ୍ଟା  ପରେ ପରିବାର ଲୋକେ ପ୍ରଶାସନର ସହଯୋଗରେ ଅନ୍ୟ ସ୍ଥାନରେ ତାଙ୍କର ଶବ ସତ୍କାର କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.