ବସ୍ତିରେ କାୟା ମେଲାଇଛି କରୋନା, ଚିହ୍ନଟ ହେଉଛନ୍ତି ପୁଳା ପୁଳା ସଂକ୍ରମିତ : ୩ ହଜାର ଟପିଲା ଆକ୍ଟିଭ୍‌ କେସ୍‌

Published By : Prameya-News7 Bureau | August 26, 2020 IST

ଭୁବନେଶ୍ୱର ୨୬।୦୮: ଓଡିଶାରେ କରୋନା ସ୍ଥିତି ସାଙ୍ଗାତିକ ରହିଛି । ଖାସ୍‌ କରି ଖୋର୍ଦ୍ଧା ଜିଲ୍ଲା ଓ ରାଜଧାନୀରେ ସଂକ୍ରମଣ ସଂଖ୍ୟା ଚିନ୍ତାଜନକ ରହିଛି । ରାଜଧାନୀ ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହୋଇଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବେକାବୁ ହୋଇ ମାଡୁଛି । ମଙ୍ଗଳବାର ସକ୍ରିୟ ରୋଗୀ(ଆକ୍ଟିଭ୍‌ କେସ୍‌) ସଂଖ୍ୟା ୩ହଜାର ଡେଇଁଛି । କଟକ ଓ ଗଞ୍ଜାମ ଭଳି ଜିଲ୍ଲାଠାରୁ ବି ଭୁବନେଶ୍ୱରରେ ଅଧିକ ସକ୍ରିୟ ରୋଗୀ ଅଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ୭୯୩୧ରେ ପହଞ୍ଚିଛି । ଆଜି ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜଧାନୀରେ ୩୪୨୯ ସକ୍ରିୟ ରୋଗୀ ଥିବେ । ଗତ ଶନିବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏଭଳି ଆକଳନ କରିଥିଲେ । କିନ୍ତୁ ସକ୍ରିୟ ରୋଗୀ ସଂଖ୍ୟା ଯେଉଁ ହାରରେ ବଢୁଛି ତାହା ବିଏମ୍‌ସି ଆକଳନଠାରୁ ଟପିଯିବ । ଆଜି ଦିନକରେ ସକ୍ରିୟ ରୋଗୀ ସଂଖ୍ୟାରେ ୧୬୮ଜଣ ଯୋଡି ହୋଇଛନ୍ତି । ରାଜଧାନୀର ସକ୍ରିୟ ରୋଗୀ ସଂଖ୍ୟା ୩୧୬୨ରେ ପହଞ୍ଚିଛି । ଏହି ରୋଗୀଙ୍କ ଭିତରୁ ଅନେକ ହସ୍ପିଟାଲ ବା କୋଭିଡ୍‌ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବାବେଳେ ବାକି ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ।
ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ୧୮୭୦ଜଣ ସକ୍ରିୟ ରୋଗୀ ଥିଲେ । କଟକରେ ୨୩୯୯ ଓ ରାୟଗଡାରେ ୧୪୭୫ ସକ୍ରିୟ ରୋଗୀ ଅଛନ୍ତି । କିନ୍ତୁ ଭୁବନେଶ୍ୱର ସମସ୍ତଙ୍କୁ ଟପି ଏହି ରୋଗୀ ସଂଖ୍ୟା ତାଲିକାରେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୨୭ ସକ୍ରିୟ ରୋଗୀ ସଂଖ୍ୟା ଥିବାବେଳେ ଏହାର ୫୭ପ୍ରତିଶତ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ।

ସେହିଭଳି ରାଜଧାନୀରୁ ୩୩୨ ନୂଆ ସଂକ୍ରମିତ ବାହାରିଛନ୍ତି । ଏଥିରୁ ୧୭୩ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ବିଏମ୍‌ସି ଦର୍ଶାଇଛି । ବାକି ୧୫୯ଜଣ ସ୍ଥାନୀୟ ସଂକ୍ରମିତ । ସପ୍ତମ ବାଟାଲିୟନରୁ ଆଉ ୧୩ଜଣ ପୁଲିସ ଓ ପୁଲିସ ସିକ୍ୟୁରିଟି ୱିଙ୍ଗରୁ ୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଭରତପୁରରୁ ୬, ମଧୁସୂଦନନଗରରୁ ୨, ନୂଆପଲ୍ଲୀରୁ ୭, କଳିଙ୍ଗନଗରରୁ ୪, ଜଗନ୍ନାଥ ବସ୍ତିରୁ ୩, ସାଲିଆ ସାହିରୁ ୪, ମଞ୍ଚେଶ୍ୱରରୁ ୩, ବରମୁଣ୍ଡାରୁ ୩, ସତ୍ୟନଗରରୁ ୩ଜଣ ସଂକ୍ରମିତ ବାହାରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅଫିସ୍‌ରୁ ୨, ୟୁନିଟ-୬ରୁ ୨, ୟୁନିଟ-୮ରୁ ୨, ଖାରବେଳନଗରରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୩, ନୀଳ୍ରାଦ୍ରିବିହାରରୁ ୩, ସୌଭାଗ୍ୟନଗରରୁ ୩, ସତ୍ୟନଗରରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଧରା ପଡିଛନ୍ତି । ବସ୍ତି ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତ ବାହାରିଛନ୍ତି । ସାଲିଆ ସାହି, ସୁବାସନଗର, ଶିରିପୁର ଶବର ସାହି, ସାଇନା ଶ୍ରମିକ, ଦୁର୍ଗା ବସ୍ତି ଓ ବେହେରା ସାହି ବସ୍ତିରୁ ୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସହରରେ ଆଜିସୁଦ୍ଧା ମୋଟ ୩୩ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ରାଜଧାନୀରୁ ଆଉ ୧୭୩ ଜଣ ସୁସ୍ଥ ହୋଇଛନ୍ତି । ସହରରେ ଆଜିସୁଦ୍ଧା ମୋଟ ୪୭୨୬ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୫୯ ପ୍ରତିଶତ ରହିଛି । ରାଜଧାନୀରେ ସୁସ୍ଥ ହାର ୬୦ରୁ ୬୫ ପ୍ରତିଶତ ରହୁଥିବାବେଳେ ଏବେ ସୁସ୍ଥ ହାର ଖସୁଛି ।

ବସ୍ତିରେ ସଂକ୍ରମଣ ପୁଣି ଡରାଇଛି । ମଙ୍ଗଳବାର ଦିନକରେ ବସ୍ତି ଅଞ୍ଚଳରୁ ୫୦ ସଂକ୍ରମିତ ବାହାରିଛନ୍ତି । ଏହାକୁ ନେଇ ପୁଣି ଭୟ ବଢିଛି । ସଂକ୍ରମଣ ଦୃଷ୍ଟିରୁ ବସ୍ତି ଅଞ୍ଚଳ ସମ୍ବେଦନଶୀଳ ହୋଇଥିବାରୁ ଦିନକରେ ଏତେ ସଂଖ୍ୟାରେ ସଂକ୍ରମିତ ବାହାରିବା ଚିନ୍ତାର କାରଣ ପାଲଟିଛି । ସାଲିଆ ସାହିରୁ ପୁଣି ୭ ସଂକ୍ରମିତ ବାହାରିଛନ୍ତି । ସାଲିଆ ସାହି ତାରିଣୀନଗରରୁ ଜଣେ, ଆଦିବାସୀଗାଁରୁ ୪ଜଣ ଓ ଶ୍ରୀରାମନଗରରୁ ଜଣେ ସଂକ୍ରମିତ ବାହାରିଛନ୍ତି । ୬ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ବାକି ଜଣେ ସ୍ଥାନୀୟ ସଂକ୍ରମିତ । ସେହିଭଳି ଜଗନ୍ନାଥ ବସ୍ତିରୁ ୩, ବାଣୀବିହାର ପଥରବନ୍ଧ ବସ୍ତିରୁ ୨ଜଣ, ବାଲିପଟା ବସ୍ତିରୁ ଜଣେ, ସୁବାସନଗର ବସ୍ତିରୁ ଜଣେ, ମହାବୀର ବସ୍ତିରୁ ୨ ଓ ନୀଳାଦ୍ରିବିହାର ସୀତାନାଥ ବସ୍ତିରୁ ଦୁଇ ଜଣ ସଂକ୍ରମିତ ବାହାରିଛନ୍ତି । ବାପୁଜୀନଗର କେଦାରପଲ୍ଲୀ ବସ୍ତି, ନୂଆପଲ୍ଲୀ ତ୍ରିନାଥ ନଗର ବସ୍ତି, ମଞ୍ଚେଶ୍ୱର ଝରଣା ବସ୍ତି, ବେହେରା ସାହି ବସ୍ତି, ସାଇନା ଶ୍ରମିକ ବସ୍ତି, ଶିରିପୁର ଶବର ସାହି, ଦୁର୍ଗାବସ୍ତିରୁ ସଂକ୍ରମିତ ଧରାପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.