ବାପା କ୍ଷୁଦ୍ରଚାଷୀ, CBSEରେ ୯୮% ମାର୍କ ରଖି ପୁଅପଢିବ ଆମେରିକାରେ, ଶତପ୍ରତିଶତ ବୃତ୍ତି ଦେଲେ କର୍ଣ୍ଣେଲ ୟୁନିଭର୍ସିଟି

Published By : Prameya-News7 Bureau | July 15, 2020 IST

ଲକ୍ଷ୍ମୀପୁର ଖୀରି ୧୫।୭:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିର ଛାତ୍ର ଅନୁରାଗ ତିୱାରୀ ଆମେରିକାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କର୍ଣ୍ଣେଲ ୟୁନିଭର୍ସିଟିରେ ନିଜ ସ୍ଥାନ ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି। ଜଣେ ନାମମାତ୍ର ଚାଷୀର ପୁଅ ଅନୁରାଗଙ୍କୁ ଅଧ୍ୟାୟନ ଲାଗି ବିଶ୍ୱବିଦ୍ୟାଳୟ ୧୦୦ ପ୍ରତିଶତ ଛାତ୍ରବୃତ୍ତି ଯୋଗାଇ ଦେଇଥିବା ବେଳେ ଅନୁରାଗ ଏବେ ଉଚ୍ଚଶିକ୍ଷା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ହ୍ୟୁମାନିଟିଜ୍ ଛାତ୍ର ଅନୁରାଗ ଇକନୋମିକ୍ସ ଓ ଇତିହାସରେ ଶହେକୁ ଶହେ ନମ୍ବର ପାଇଥିବା ବେଳେ ରାଜନୀତି ବିଜ୍ଞାନରେ ୯୯ ଓ ଇଂରାଜୀରେ ୯୭ ନମ୍ବର ରଖିଛନ୍ତି। ତେବେ ଗଣିତରେ ସେ ମାତ୍ର ୯୫ ମାର୍କ ରଖିଛନ୍ତି। ଏବେ କର୍ଣ୍ଣେଲ ୟୁନିଭର୍ସିଟିରେ ସେପ୍ଟର ୧ ତାରିଖରୁ ସେ ଇକନୋମିକ୍ସ ଓ ମ୍ୟାଥମେଟିକ୍ସରେ ଅନଲାଇନ୍‌ କ୍ଲା୍ସ୍‌ କରିବେ। କୋଭିଡ-୧୯ ମହାମାରୀ ଲାଗି ଆମେରିକୀୟ ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ପାଠ ପଢା ବନ୍ଦ ରହିଛି। ଏବେ ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ ଶିକ୍ଷାଦାନ କରାଯାଉଥିବା ବେଳେ ଅନୁରାଗ ମଧ୍ୟ ଏଥିରେ ପଢିବେ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ସହରରୁ ପ୍ରାୟ ୬୦ କିଲୋମିଟର ଦୂର ସରସନ୍‌ ହେଉଛି ଅନୁରାଗଙ୍କ ଗାଁ। ସେ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ତେବେ ବିଦ୍ୟାଗ୍ୟାନ ଆଡମିସନ ଟେଷ୍ଟ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ଅନୁରାଗ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଆର୍ଥିକ ଦୁର୍ବଳ ବର୍ଗର ଗ୍ରାମ୍ୟମେଧାବୀ ଛାତ୍ର ଅନୁସନ୍ଧାନ ଲାଗି ଏହି ପରୀକ୍ଷାରେ ଅନୁରାଗ ସଫଳ ହୋଇଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସ୍ୟାଟ୍‌ ଲାଗି ପ୍ରସ୍ତୁତି କରିଥିଲେ। ଏଥିରେ ସେ ୧୬୦୦ ମାର୍କରୁ ୧୩୭୦ ପାଇବାରେ ସକ୍ଷମ ହୋଇଥିଲେ। ପ୍ରାରମ୍ଭିକ ନିର୍ଣ୍ଣୟ ଆବେଦକ(ଇୟର୍ଲି ଡିସିସନ ଆପ୍ଲିକାଣ୍ଟ) ଭାବେ ଅନୁରାଗ କର୍ଣ୍ଣେଲ ୟୁନିଭର୍ସିଟିରେ ପଢିବାକୁ  ଆବେଦନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ତାଙ୍କ ଆବେଦନକୁ ସ୍ୱୀକାର କରିବା ସହ ଶତପ୍ରତିଶତ ଅଧ୍ୟାୟନ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.