କରୋନା ଆତଙ୍କ: କିଛି କୋହଳ ସହିତ କାଲିଠୁ ଦିଲ୍ଲୀରେ କର୍ଫ୍ୟୁ ଲାଗୁ
24/03/2020 at 5:08 PM

ନୂଆଦିଲ୍ଲୀ ୨୪।୦୩: କରୋନା ଭୂତାଣୁ କାରଣରୁ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟ ଲକଡାଉନ୍ ରହିଛି। ରାଜଧାନୀ ଦିଲ୍ଲୀରେ ସ୍ଥିତିକୁ ଦୃଷ୍ଟିରେ ଆସନ୍ତାକାଲିଠୁ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ଏହି କର୍ଫ୍ୟୁ ସହିତ କିଛିଟା କୋହଳ କରିବାକୁ ମଧ୍ୟ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ସହରରେ ସବୁ କିଛି ବନ୍ଦ ରହିଛି। ହେଲେ ଏହି କର୍ଫ୍ୟୁରେ କିଛିଟା କୋହଳ ଦେବାକୁ ଅରବିନ୍ଦ କେଜ୍ରିଓ୍ଵାଲ ସରକାର ବିଚାର କରୁଛନ୍ତି।
ସରକାର ମାର୍ଚ୍ଚ ୨୪ରୁ କର୍ଫ୍ୟୁ ଲାଗୁ କରିବାକୁ ଯାଉଛନ୍ତି। ହେଲେ ଏକ ନିର୍ଦ୍ଦିଷ୍ଟ ସମୟରେ କର୍ଫ୍ୟୁ କୋହଳ କରିବା ନେଇ ସଙ୍କେତ ଦେଇଛନ୍ତି। ଏହି କୋହଳ ସମୟରେ ଲୋକେ ବଜାରକୁ ଆସି ଖାଦ୍ୟ ପଦାର୍ଥ ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ପାରିବେ। ଏହା ସହିତ ସିଲ୍ କରାଯାଇଥିବା ଦିଲ୍ଲୀ ବର୍ଡରରେ ମଧ୍ୟ କିଛିଟା କୋହଳ କରାଯାଇପାରେ। ଯଦ୍ଵାରା ଲୋକେ ନିଜର ଜରୁରୀକାଳୀନ କାମ ପୁଣି ଥରେ ଆରମ୍ଭ କରି ପାରିବେ।
ଉଲ୍ଲେଖଯୋଗ୍ୟ, କରୋନାର ପ୍ରତିରୋଧ ଲାଗି ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପରେ ଦେଶର ଅଧିକାଂଶ ଅଞ୍ଚଳ ଲକଡାଉନରେ ରହିଛି। କିଛି ରାଜ୍ୟର ପ୍ରମୁଖ ସହରଗୁଡିକରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି। ଏବେ ଦିଲ୍ଲୀରେ ସ୍ଥିତି ଅତି ବିଗିଡିବାରୁ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି।