କୋପା ଆମେରିକା କପ୍‌ : ଫାଇନାଲରେ ଆର୍ଜେଣ୍ଟିନା, ବ୍ରାଜିଲ ସହ ହେବ ଟାଇଟଲ୍ ମୁକାବିଲା

Published By : Prameya-News7 Bureau | July 08, 2021 IST

ବ୍ରାଜିଲ୦୮/୦୭ : ଚଳିତ କୋପା ଆମେରିକା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ ଟାଇଟଲ ଲଢେଇ ହେବ । ପୂର୍ବରୁ ପେରୁକୁ ୧-୦ ଗୋଲ୍‌ରେ ହରାଇ ବ୍ରାଜିଲ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୨ ପେନାଲ୍ଟି (ଟାଇବ୍ରେକର) ଗୋଲ୍‌ରେ କଲମ୍ବିଆକୁ ପରାସ୍ତ କରିଛି । ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‌ରେ ଡ୍ର’ ରହିଥିଲା । ଅତିରିକ୍ତ ୩୦ ମିନିଟ୍‌ ମଧ୍ୟରେ ଉଭୟ ଦଳ ଗୋଲ୍‌ କରିବାରେ ଅସମର୍ଥ ରହିଥିଲେ । ଶେଷରେ ପେନାଲ୍ଟିରେ ଆର୍ଜେଣ୍ଟିନା ବିଜୟ ହାସଲ କରିଥିଲା । ଦଳର ଗୋଲ୍‌ କିପର ଏମିଲିଆନୋ ମାର୍ଟିନେଜ ୩ଟି ପେନାଲ୍ଟି ଅଟକାଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଲୌଟରୋ ମାର୍ଟିନେଜ ଗୋଲ୍‌ ଖାତା ଖୋଲିଥିଲେ । ସେ ଲିଓନେଲ ମେସିଙ୍କ ଏକ ପାସ୍‌କୁ ଗୋଲ୍‌ରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଆଗୁଆ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ କଲମ୍ବିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ମ୍ୟାଚ୍‌କୁ ଫେରିଥିଲା । ୬୧ତମ ମିନିଟ୍‌ରେ ଏଡୱିନ କାର୍ଡୋନାଙ୍କ ପାସ୍‌କୁ ଲୁଇସ ଡାଏଜ ଗୋଲ୍‌ରେ ପରିଣତ କରି ସ୍ଥିତି ବରାବର କରିଥିଲେ । ପରବର୍ତ୍ତୀ ସମୟରେ ଗୋଲ୍‌ ସମ୍ଭବ ହୋଇ ନଥିଲା । ଫଳରେ ଅତିରିକ୍ତ ୩୦ ମିନିଟ୍‌ ଖେଳାଯାଇଥିଲା । ଏହି ସମୟ ମଧ୍ୟରେ ଉଭୟ ଦଳ କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ୍‌ କରିବାରେ ବିଫଳ ହୋଇଥିଲେ ।ଟାଇବ୍ରେକର ସହାୟତା ନିଆଯାଇଥିଲା । କଲମ୍ବିଆ ପକ୍ଷରୁ ଜୁଆନ କୁଆର୍ଡାଡୋ ପ୍ରଥମ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ । ଏହାପରେ ଆର୍ଜେଣ୍ଟିନା ପକ୍ଷରୁ ମେସି ପେନାଲ୍ଟି ସଫଳ କରାଇ ୧-୧ରେ ସ୍ଥିତି ବରାବର କରିଥିଲେ । କଲମ୍ବିଆ ପକ୍ଷରୁ ଡେଭିନସନ ସାଞ୍ଚେଜ ଦ୍ୱିତୀୟ ପେନାଲ୍ଟି ମାରିଥିଲେ । ଏହାକୁ ଆର୍ଜେଣ୍ଟିନା ଗୋଲ୍‌ କିପର ଏମିଲିଆନୋ ମାର୍ଟିନେଜ ଅଟକାଇ ଦେଇଥିଲେ । ଆର୍ଜେଣ୍ଟିନା ପକ୍ଷରୁ ରୋଡ୍ରିଗୋ ଡି ପଲ୍‌ଙ୍କ ପେନାଲ୍ଟିକୁ ମଧ୍ୟ କଲମ୍ବିଆ ଗୋଲ୍‌ କିପର ଅଟକାଇବାରେ ସଫଳ ହୋଇଥିଲେ। କଲମ୍ବିଆ ପକ୍ଷରୁ ତୃତୀୟ ପେନାଲ୍ଟି ମାରିଥିଲେ ୟେରୀ ମିନା । ଏହାକୁ ଅଟକାଇବାରେ ସଫଳ ହୋଇଥିଲେ ଆର୍ଜେଣ୍ଟିନା ଗୋଲ୍‌ କିପର ।

ଆର୍ଜେଣ୍ଟିନା ପକ୍ଷରୁ ଲିଓନାର୍ଡେର ପରେଡେସ୍‌ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରି ୨ – ୧ରେ ଅଗ୍ରଣୀ କରାଇଥିଲେ । କଲମ୍ବିଆ ପକ୍ଷରୁ ମିଗ୍ୱେଲ ବୋର୍ଜାଙ୍କ ପେନାଲ୍ଟି ଗୋଲ୍‌ ବଳରେ ସ୍ଥିତି ୨-୨ରେ ପହଞ୍ଚିଥିଲା । ଆର୍ଜେଣ୍ଟିନା ପକ୍ଷରୁ ମାର୍ଟିନେଜ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରି ୩-୨ରେ ଦଳକୁ ଅଗ୍ରଣୀ କରାଇଥିଲେ । ଏହାପରେ କଲମ୍ବିଆ ପକ୍ଷରୁ ପଞ୍ଚମ ପେନାଲ୍ଟି ମାରିଥିଲେ ଏଡୱିନ କାର୍ଡୋନା । ଆର୍ଜେଣ୍ଟିନା ଗୋଲ୍‌ କିପର ଏହାକୁ ଅଟକାଇ ଦେଇଥିଲେ । ଆର୍ଜେଣ୍ଟିନାର ବିଜୟ ସଫଳ ହୋଇଥିଲା ।୧୯୯୩ରେ ଆର୍ଜେଣ୍ଟିନା ଶେଷ ଥର ପାଇଁ କୋପା ଆମେରିକା କପ୍‌ ଜିତିଥିଲା ।

ଗତ ୨୮ ବର୍ଷ ହେଲା ଆର୍ଜେଣ୍ଟିନା ଗୋଟିଏ ହେଲେ ଟୁର୍ଣ୍ଣାମେଣ୍ଟ୍‌ରେ ଚାମ୍ପିଅନ୍‌ ହୋଇନାହିଁ । ମେସିଙ୍କ ପାଇଁ ଆଉ ଏକ ଟାଇଟଲ ସୁଯୋଗ ସୃଷ୍ଟି ହୋଇଛି ।୨୦୧୫ ଓ ୨୦୧୬ କୋପା ଆମେରିକା କପ୍‌ରେ ଆର୍ଜେଣ୍ଟିନା ପେନାଲ୍ଟିରେ ପରାଜିତ ହୋଇଥିଲା । ଏଥର ଗୋଲ୍‌ କିପର ମାର୍ଟିନେଜଙ୍କ ଦର୍ଶନୀୟ ଗୋଲ୍‌ କିପିଙ୍ଗ୍‌ ବଳରେ ଆର୍ଜେଣ୍ଟିନାର ପେନାଲ୍ଟି ବିଫଳତାରେ ବ୍ରେକ୍‌ ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.