FIR ଗ୍ରହଣ ନକରିବାରୁ ଥାନା ବାବୁଙ୍କୁ ଦଣ୍ଡ, ରାସ୍ତା ଝାଡ଼ୁ ମାରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
24/12/2020 at 7:41 PM

ବେଙ୍ଗାଲୁରୁ ୨୪/୧୨: ଡ୍ୟୁଟିରେ ଖିଲାପ କରି ହରଡ଼ଘଣାରେ ଥାନା ବାବୁ। ଏଫଆଇଆର ଗ୍ରହଣ ନକରିବାରୁ ନିଜ ଥାନାକୁ ଲାଗିଥିବା ରାସ୍ତା ସଫା କରିବେ ପୋଲିସ ବାବୁ । ସପ୍ତାହେ ରାସ୍ତାରେ ଝାଡ଼ୁ ମାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟର କଲବୁର୍ଗି ଖଣ୍ଡପୀଠ ଜଣେ ଏସ୍ଏଚଓଙ୍କୁ ଏକ ସପ୍ତାହ ନିଜ ଥାନା ରାସ୍ତାରେ ଝାଡ଼ୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଜଷ୍ଟିସ୍ ଏସ ସୁନିଲ ଦତ୍ତ ଯାଦବ ଓ ଜଷ୍ଟିସ୍ ପି କୃଷ୍ଣାଙ୍କ ବେଞ୍ଚ ୫୫ ବର୍ଷୀୟା ତାରାବାଇଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ବେଞ୍ଚ ପୋଲିସର ଭୂମିକା ଉପରେ କଡ଼ା ଟିପ୍ପଣୀ ମଧ୍ୟ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାରାବାଇଙ୍କ ପୁଅ ୨୦ ଅକ୍ଟୋବରରୁ ନିଖୋଜ ହୋଇଥିଲେ। ଏନେଇ ତାରାବାଇ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଥିଲେ। କିନ୍ତୁ ଏସଏଚଓ (ଷ୍ଟେସନ୍ ହାଉସ୍ ଅଫିସର) ଏଫଆଇଆର ରଖିନଥିଲେ। ଏହା ସହ ମାମଲାଟି ତାଙ୍କ କ୍ଷେତ୍ର ବାହାରେ ବୋଲି କହିଥିଲେ।
ନିଜ ନିର୍ଦ୍ଦେଶରେ ବେଞ୍ଚ କହିଛନ୍ତି, ଏସଏଚଓ ଖୋଦ ନିଜ ଦୋଷ ସ୍ବୀକାର କରିଛନ୍ତି। ଏସଏଚଓଙ୍କୁ ମାମଲା ରୁଜୁ କରିବାର ଥିଲା । ଯଦି ମାମଲା ଅନ୍ୟ କ୍ଷେତ୍ରରେ ଆସୁଥିଲା ତେବେ ସେନେଇ ଏସଏଚଓ ସେହି କ୍ଷେତ୍ରର ପୋଲିସ ଅଧିକାରୀଙ୍କୁ ଜଣାଇବାରଥିଲା । କିନ୍ତୁ ଏସ୍ଏଚଓ ଏଭଳି କରିନଥିଲେ ବୋଲି ଖଣ୍ଡପୀଠ କହିଛନ୍ତି।